Unknown

 

 

 

 

 

 

 

 

 

 

 

ମଦଭାଟି

କମଳାକାନ୍ତ ଦାଶ

 

ମଦଭାଟି । ଚାଉଲି ଆଉ ମହୁଲି-ମଦ ରନ୍ଧାହୁଏ–ରାତିଦିନ, ଦିନରାତି । ଲମ୍ବା ହୋଇ ଗୋଟାଏ ଖପରଲ୍ଲି ଛାଉଣି ଘର ଭିତରେ ମଦଚୁହ୍ଲା ଜଳୁଚି । ଚାଉଲି ଆଉ ମହୁଲ-ପଚାପାଣି ବଡ଼ ବଡ଼ ତମ୍ବା ହାଣ୍ଡିରେ ପଶି ସିଝୁଛି । ହଣ୍ଡାର ମୁହଁ ନିମୁଜ ହୋଇ ଗୋଟିଏ ସରୁ ବାଟ ବାହାରକୁ ଆସିଛି । ସେଇବାଟେ ଗରମ ବାମ୍ପରୁ ନିର୍ଯାସ ଝରି ଆସୁଛି ଗୋଟାଏ କାଚପାତ୍ର ଭିତରକୁ–ତାକୁଇ କହନ୍ତି ମଦ, ଦି’ ପ୍ରକାର–ଚାଉଲି ଆଉ ମହୁଲି । ଗରମ ହଣ୍ଡାର ଢାଙ୍କୁଣି ଉପରକୁ ଚୁହ୍ଲା ପାଖରେ ଥିବା ବଡ଼ ପାଣିକୁଣ୍ଡରୁ ଧୀରେ ଧୀରେ ଶୀତଳ ପାଣି ବହି ଆସୁଛି । ସେଇ ଢାଙ୍କୁଣିର ଭିତର ପଟେ ଗରମ ହଣ୍ଡା ଭିତରୁ ଉପରକୁ ଉଠୁଥିବା ବାମ୍ପ ଥଣ୍ଡା ହୋଇ ମଦବିନ୍ଦୁରେ ପରିଣତ ହେଉଛି ଏବଂ ତାହାହିଁ ଝରି ଆସୁଚି କାଚପାତ୍ର ଭିତରକୁ । ଚାଉଳରୁ ଚାଉଲି, ପୁଣି ମହୁଲରୁ ମହୁଲି-ତା’ରି ନାଁ ମଦମାଦକ, ନିଶାପାଣି । ତାକୁଇ ଖାଇବାକୁ ମଣିଷ ହୁଏ ପାଗଳ । ତାକୁଇ ଖାଇ ମଣିଷ ହୁଏ ପାଗଳ । ପୁଣି ତାକୁଇ ପିଇ ମଣିଷ ସର୍ବସ୍ୱ ହରାଇ ହୋଇଥାଏ ଗରିବ, ଦୁଃଖୀ, ଚରିତ୍ରହୀନ, ଅମଣିଷ, ପଶୁ, ରାକ୍ଷସ । ଦିହରୁ ତାକତ ହଟେ । ମନରୁ ସାହସ ତୁଟେ ବାର ହୀନିମାନ କଥା ଘଟେ । ଖାଇଲା ଲୋକ ସେ କଥା ଯେ ବୁଝି ନ ପାରେ, ତାହା ନୁହେଁ-ସବୁ ସମୁଜେ, ତେବେ ବି କଂସାଲୋଟା ବିକି ଭାଙ୍ଗି, ପିଲାକବିଲାଙ୍କ ଅଳଙ୍କାର ବନ୍ଧା ପକାଇ, ନିତି ସେଇ ମଦଭାଟି ପାଖକୁ ଛୁଟେ–ଆପଣାର ସର୍ବନାଶ କରିବା ଲାଗି ।

 

ଜୀରା ନଈରେ ଶୁଖିଲା ବାଲି । ଲୁହାର ଦମ୍ଭିଲା ପୋଲ ପଡ଼ିଚି ଏପାରିରୁ ସେପାରି ଯାକେ । ସେ ପଟେ ମଦଭାଟି । ଚାରିଟା ବେଳୁ ଭାଟି ଚଉପଟେ ଭାରି ଗହଳି । ଖପରଘର ଦୁଆରମୁହଁ ଜଗି କୁରୁଚି ମେଜ ପକାଇ ବସିଥାଆନ୍ତି–ଦେଶର ଶୁଣ୍ଡି ମହାଜନ ରାମ ରାମ ଭଗତ । ହାତକେ ହୁକା, ଆର ହାତକେ ଚୌକିର ବାଡ଼ା । ମୁଣ୍ଡରେ ପଗଡ଼ି, ଦିହରେ ଫତେଇ । ଉଞ୍ଚା ପେଟଟା ମେଜ ଦିହକୁ ଭିଡ଼ି ଯାଇଥାଏ । ବସିଲା କୁରୁଚି ଉପରେ ଗଦି ପଡ଼ିଥାଏ–ନରମ ଲାଗିବ ବୋଲି ।

 

ସାମନାସାମନି ଗୁମାସ୍ତା-ହିସାବ ଲେଖେ, ଜଣ ଜଣଠୁ ପଇସା ଗଣିନେଇ ବାକ୍‌ସରେ ଗଳାଏ, ଆଉ ବିକାଳୀକି ହୁକୁମ ଦିଏ–ଆଠଣା, ଟଙ୍କାଏ, ଚ୍ଛଅଣା, ଦେଇ ଯା ଜଣ ଜଣ କରି ଠିକ୍‌ ମାପ ଦବୁ । ଖାଣ୍ଟି ମାଲ ଦବୁ । ଦେଖି ଶୁଣି ଦବୁ। ଲୋକ ଦେଖି ଦଉଥିବୁ ।

 

ଚାଉଲି ଆଉ ମହୁଲି । ଗଣି ଦିଅନ୍ତି ଠଣ୍‌ ଠଣ୍‌, ଝଣ୍‌ ଝଣ୍‌ ଟଙ୍କା, ଅଧୁଲି, ସୁ’କି, ଦୋ’ଣି-। ପିଅନ୍ତି ମଦ । ଢକ ଢକ ଗିଳି ଦିଅନ୍ତି–ଗଳା ପଡ଼ିଯାଏ, ତେବେ ବି ଗିଳନ୍ତି–ସାଙ୍ଗସାଥି ଘେନି । ପାଖରେ ବସି ବିକୁଥାଏ ଚାଟ୍‌-ବିକାଳୀ-ବୁଟଭଜା, ଚଣାଭଜା, ପାମ୍ପଡ଼ ଆଦି ବାର କିସିମର ଚିଜ-

 

ବେଳବୁଡ଼ ସଞ୍ଜ ପହରକ ଘମାଘୋଟ ଗହଳି । ରାମ ରାମ ଭଗତର ବାକସ ଭର୍‌ପୂର-। ଭାଟିରୁ ଲେଉଟିଲା ବାଟଟା ସରଗରମ । ଜୀରା ପୋଲ ଉପରେ କିଏ କାହା ଉପରକୁ ଢଳି ପଡ଼ୁଥାଏ–କିଏ କାନ୍ଧରେ ହାତ ଥୋଇ କେତେ କଅଣ ଅସମାପିକା କଥା କହି ଚାଲିଥାଏ । କିଏ ଅବା କାହା ଓଠରେ ହାତ ମାରି ବୋଲି ଦେଉଥାଏ–ରସରସିଆ, ମନଖୁସିଆ, ଗୀତ ଦି’ପଦ–

 

ମଲ୍ଲି ଫୁଲ ଗୁଭା ଗୁଭା

ପ୍ରତି କରୁଥିବ ଯୁବାକେ ଯୁବା-ଗୋ

ବଉଳ ଲୋ, ତୁଇଁ ମୁଇଁ ଚାଲ ଯିବା ।

 

କେହି ଅବା ଜୀରା ବାଲି ଉପରେ ସାଙ୍ଗ ହାତ ଧରି ହସି ହସି ଗଡ଼ି ଯାଉ ଯାଉ ବୋଲିଦିଏ–

 

ହଳଦିର କାଏଁ ରଙ୍ଗ

ବିଦେଶୀର କାଏଁ ସଙ୍ଗ

 

ଆଉ କିଏ ବୋଲିଦିଏ–

 

ପିଲାଦିନର ସାଙ୍ଗ ସରିସା

ପାସୋରି ଦେଲୁ କାଏନ୍‌

ଯୁଡ଼ା ବନ୍ଧର କନ୍ଦାକୁଡ଼ା

ମୋର ମନେ ଅଛେକି ନେଇନ୍‌ ।

 

ବାଲିରେ ଗଡ଼ି ଯାଉ ଯାଉ କେହି କାହାକୁ ଲକ୍ଷ୍ୟ କରି ଗୀତରେ ପଚାରିଦିଏ–

 

ନଏଦ ପହଁରା ବାଲିର ଘର

ଦୁଲି ଦୁଲି ବଡ଼ା ସୁଖ

ଆଜ ଦିନକେ ହେତେଇ ଦେଲେ

ଲାଗୁଛେ ବଡ଼ା ଦୁଃଖ । ରେ ସାଙ୍ଗ,

ଲାଗୁଛେ ବଡ଼ା ଦୁଃଖ ।

 

ଆଉ କେହି ଆସୁ ଆସୁ ସାଙ୍ଗ କାନ୍ଧ ଉପରକୁ ଢଳି ପଡ଼ି ବୋଲିଦିଏ–

 

କାହିଁର ଜନାର କାହିଁର ଶୁନାର

ଜୁଟାଇ ଦେବାର ବୁଆ

ଫୁପୁଲା ବାହ୍ମୁନ ହାତ ଧରା ବା

ମୁଲକ ଅଖାଡ଼ୁଆ

କୁକୁରକେଭି ଠାକୁର ବୋଲି

ମାନବୁ ସବୁବେଲେ

କାଏଁ ମାରୁଚୁ ତରକିଥିବୁ

ପଡ଼ିଯିବା ଭାଏଲ ଗାଲେ ।

 

ଆକାଶରେ ଚାନ୍ଦ ଉଠେ, ତାରା ଫୁଟେ । ଏଣେ ମଦଭାଟି ଲେଉଟାଣି ସ୍ତ୍ରୀପୁରୁଷ, ୟୁଆନଭେଣ୍ଡିଆ, ଟୋକାଟୋକି ସଭିଙ୍କର ଗୀତଲହୁରି ଛୁଟେ । ସମସ୍ତେ ଭୋଳ । ତାଳମାନର ଠିକଣା ନାହିଁ । ସଭ୍ୟ-ଅସଭ୍ୟ, ଭଦ୍ର-ଅଭଦ୍ର, ଅଭାଷା-କୁଭାଷା, ଶ୍ଳୀଳଅଶ୍ଳୀଳତାର ବାଛବିଚାର ନାହିଁ । ଚାଲିଚି ଗୀତ, ଚାଲୁଚି ପାଦ ଆଗକୁ । ନିଶାର ଜୋର ଚଢ଼ି ଯାଉଚି ମୁଣ୍ଡ ଉପରକୁ । ପେଟରେ ଦାନା ନାହିଁ, ପିଠିରେ କନା ନାହିଁ–ପରବାଏ ନାହିଁ । ମଦନିଶା ମିଞ୍ଜାସ ଗରମ କରିଦେଇଚି । ସରଗ ଦି ଆଙ୍ଗୁଳି ଦିଶୁଚି । ଦିନତମାମର ରୋଜଗାର କେହି କେହି ସବୁତକ ଦେଇ ଆସିଚି–ରାମ ରାମ ଭଗତ ପାଖରେ । କେହି କେହି ଅବା ସ୍ତ୍ରୀ ପିଲାକବିଲାଙ୍କ ହାତରୁ ବନ୍ଧୁରିଆ ଭିଡ଼ିନେଇ ବନ୍ଧା ପକାଇ ମଦ ପିଇ ଫେରୁଚି ।

 

ଏଇ ହେଲା ଜୀରା ସେପାରି ମଦଭାଟିର ସ୍ୱରୂପ । ଆଗେ କିଏ କେମିତି ଲୁଚାଚୋରା ମଦ ରାନ୍ଧି ବିକୁଥିଲା । କିଏ ଅବା ଲୁଚେଇ ଚୋରେଇ ପିଉଥିଲା । ଏଇ ହେଲା ଖୋଦ ଇଂରେଜ ସରକାରଙ୍କ ରାଜୁତି ବେଳର କଥା । ଚୋରା ଲୁଚା କିଛି ନାହିଁ । ଖୋଦ ସରକାର ରାମ ରାମ ଭଗତଙ୍କୁ ଲାଇସେନ୍‌ସ ଦେଇଛନ୍ତି–ଦିନ ଦି’ପହରେ ମଦ ବିକି ଲୋକଙ୍କୁ ମଦୁଆ କରି ଛାଡ଼ିବାକୁ । ଗାନ୍ଧୀଦଳିଆ ମଦ ବିରୁଦ୍ଧରେ ସତ୍ୟାଗ୍ରହ କଲାବେଳେ, ଇଂରେଜ ସରକାରଙ୍କ ହାକିମମାନେ ଭାଟ ଆଉ ନାଟ ପିଲା ସାଙ୍ଗରେ ଧରି ନିଜେ ନାଟ କରି ଗୀତ ବୋଲି ମଦର ଗୁଣ ଗାଇ ବୁଲୁଥିଲେ ।

 

ସାବାସ । ମଣିଷ-ଶକ୍ତିକୁ ନିଶାଖୋଇ ପଙ୍ଗୁ କରି ଥୋଇଦେବା ବିଷୟରେ କେଡ଼େ ସହଜ ଉପାୟ !

 

ଜୀରା ସେପାରିରେ ସେତିକିବେଳୁ ଚାଉଲି ମହୁଲର ଭାଟି ଜଳୁଚି ।

 

ମଦ ପିଇବାକୁ ସବୁ ପଡ଼ାରୁ ଲୋକ ଯାଆନ୍ତି । ବଡ଼ଲୋକେ ବୋତଲ ବୋତଲ ମଦ ଅଣାଇ ଘରେ ପିଅନ୍ତି । ଗରିବ, ମୂଲିଆ ଦିନ ଶେଷରେ ମଜୁରି ଘେନି କାମରୁ ଲେଉଟିଲା ବେଳକୁ ଭାଟି ପାଖରେ ଅଟକିଯାଆନ୍ତି । ଦିନସାରା ଦିହ ମିହନ୍ତ ଦେଇ ରକ୍ତକୁ ପାଣିପରି ଢାଳି ଦି’ ପଇସା ରୋଜଗାର କରି ଘରଯାକେ ନ ଆଣି ବାଟରେ ରାମ ରାମ ଭଗତର ବାକ୍‌ସରେ ଗଳାଇ ପକାଇ ଆସନ୍ତି ।

 

ରାମ ରାମ ଭଗତର ତେ-ମହଲା କୋଠା । ବାଡ଼ିଘର ମାଡ଼ିଯାଉଚି । ଗଣ୍ଡାପଡ଼ାରୁ ଅଧେ ସେ ମାଡ଼ି ବସିଲାଣି । କେତେ କୁଡ଼ିଆ ଭାଙ୍ଗି ମଥା ଟେକି ଠିଆ ହେଲାଣି ତିନିମହଲା କୋଠା । ବିଶି ମହାନନ୍ଦ, ମଦନ ବିଭାର, ଭୁକଡ଼ୁ ହରିଜନ ପିଲାକବିଲାଙ୍କୁ ଧରି କାହିଁ କୁଆଡ଼େ ପଳାଇଗଲେଣି । ରୋହିଣୀ ଗଣ୍ଡଉଣୀ, ମୋତି ଆଉ ଧୀରା ସ୍ୱାମୀଙ୍କୁ ଛାଡ଼ି କାହା ସାଙ୍ଗରେ କୁଆଡ଼େ ଭାଗିଲେଣି । ହୁରୁଷୀ ଘାସୀ, ଉଲୁସିଆ ବିଭାର ଖପରା ଧରି ସଡ଼କ କଡ଼ରେ ବୁଲୁଛନ୍ତି । ହାଡ଼ ଗିଜି ଗିଜି ଦିହ, ଆଖି ପଶିଚି ଗାତ ଭିତରେ, ଅଣ୍ଟାରେ କଉପୁନୀ । ଇଆ ତା’ ଦାଣ୍ଡରୁ ଅଇଁଠା ପତର ସାଉଁଟି ନେଇ ଭାତ ତିଅଣ ଟିକେ ଅଧେ ଟୁକୁଚନ୍ତି । ଏସବୁ ଦେଖି ସୁଦ୍ଧା ବୁଢ଼ାବୁଢ଼ୀ, ଭେଣ୍ଡିଆ ଭୁଆସୁଣୀ ସଭିଏଁ ଧାଉଁଚନ୍ତି ମଦଭାଟିକି-ନିତି ପ୍ରତି ।

 

(୨)

 

ଗଣ୍ଡାପଡ଼ାରେ ପୁନିଆ ମହାନନ୍ଦ । ବାପ ତାର ଚଳୁଥିଲା ଭଲରେ । ଗୁଡ଼ିସିରା ଗାଁରେ ଭଜ ଗଣ୍ଡା ବଡ଼ଝିଅକୁ ସେ ବିଭା ହୋଇଥିଲା । ମାଇଝିକି ନେଇ ପନ୍ଦର କୋଡ଼ିଏ ବର୍ଷ ସେ ଘର କଲା । ଗୋଟିଏ ଝିଅ, ନାଁ ଧୀରା । ତେର ଚଉଦ ବର୍ଷ ବେଳକୁ ଧୀରାକୁ ଅନେଇ ହେଲା ନାହିଁ । କଳା ମଚମଚ ଚିକ୍‌କଣ ଦିହ, ସତେକି ଲାବଣ୍ୟ ବୋହି ପଡ଼ୁଚି । ମୁଣ୍ଡରେ ବାଙ୍କ ଜୁଡ଼ା, ଜୁଡ଼ାରେ ଶିମିଳୀ ଫୁଲ ଖୋଷା ହୋଇଥାଏ, ରଙ୍ଗ ଟହ ଟହ ଦିଶେ । ହାତରେ ବନ୍ଧୁରିଆ କତୁରିଆ । ବଳିଲା ପରି ହାତଗୋଡ଼ ଗୋଲଗାଲ, ଡଉଲଡାଉଲ । କେତେ ଯେ ଗୀତ ଶିଖିଥାଏ ସେ, କହିହବ ନାହିଁ । ‘ଡାଲଖାଇ’ ନାଚବେଳେ ଦେଖଣାହାରୀ ସଭିଙ୍କ ମନ ଓଟାରି ନିଏ–ସେଇ ଧୀରା । ପୁନିଆ ତାକୁ ବିଭା ଦେଲା ସେଇ ଗାଁ ଭିତରେ ନବିନାକୁ । ଘରକୁ ଟୁଆଁ-ଟୁଇଁ ଦୋଟି, ବର ଆଉ କନିଆ, ନବୀନ ଆଉ ଧୀରା । ଦି’ ବଖରା ଖପରଘର-ଗାଁ ସେମୁଣ୍ଡକୁ, ଧୋବାସାଇ କଡ଼କୁ । ନିରୋଳା ଥାନ, ଦୁହିଁଙ୍କି ଦିହେଁ ଯୁଆନ । ଦିନ କଟିଯାଏ ଆନନ୍ଦରେ । ଦିନରେ ଦିହିଙ୍କି ଦିହେଁ କବାର (ମୂଲଲାଗି) କରି ଯାଆନ୍ତି ଏଣେତେଣେ । ଫୁଲମୁହାଁ ରଙ୍ଗଢ଼ଙ୍ଗିଆ ସୁନ୍ଦର ଶାଢ଼ୀ ଖଣ୍ଡିକରେ ପଣନ୍ତଟାକୁ କମରରେ ଭିଡ଼ି ଦେଇ ଧୀରା ଯେତେବେଳେ ନବୀନା ହାତରୁ ମାଟି ଟୋକେଇଟାକୁ ଆପଣା ମୁଣ୍ଡ ଉପରକୁ ଟେକିନିଏ, ତେତେବେଳେ ଭରା ଯୌବନ ତାର ଫୁଟି ଉଠୁଥାଏ ଅଙ୍ଗ ଅବୟବରେ । ଠିକାଦାରର ଟୋକା କର୍ମଚାରୀ କେତେ ରଙ୍ଗରେ ଆଖି ଠାରୁଥାଏ । ଡାକି ଦେଉଥାଏ, ହସ ଛଟାରେ ବାଟ ଓଗାଳୁଥାଏ । ଧୀରାର ମୁହଁରେ ହସ । ବେକରେ ପୋହଳା ମାଳୀ, ଆଉ କାନରେ ନୋଳି ହଳେ । ଚମତ୍କାର ଦିଶେ ସେ । ସମସ୍ତଙ୍କ ମନରେ ଚଟକ ଲଗାଇଦିଏ ସେ–ତାହାରି ଆଡ଼କୁ ଚାହିଁବା ଲାଗି ।

 

ସେ ବି ସଞ୍ଜକୁ ଫେରେ ନବୀନା ସାଥିରେ ବାଟଯାକ ଢଗ ବୋଲି ବୋଲି । ମଦଭାଟି ପାଖରେ ସେ ବି ଅଟକିଯାଏ । ନବୀନା ପିଏ, ସେ ବି ପିଏ । ତାର ବି ସଂସାରରେ ଆନନ୍ଦ ଦରକାର ।

 

ଧୀରା ବାହା ହୋଇଯିବାର ଦି’ବର୍ଷ ପରେ ପୁନିଆର କନିଆ ମରିଗଲା । ମାଆକୁ ବାହୁନି ଧୀରା କାନ୍ଦିଲା । ପୁନିଆ ମୁଣ୍ଡରେ ହାତ ଦେଇ ବସି ରହିଲା ସାତ ଦିନ । ବେଶି ବେଶି ମଦ ପିଇଲା । ନବୀନା ଉପରେ ଚିଡ଼ିଲା । ଧୀରା ଉପରକୁ ଟାଉଁ ଟାଉଁ ହେଲା । ହାତରେ ରାନ୍ଧି କେତେଦିନ ଖାଇଲା । ଶେଷକୁ ଚାଉଳ ପକାଇଲା ଗାଁ ସେମୁଣ୍ଡ ବୋଇମତୀ ଗଣ୍ଡଉଣୀ ହାଣ୍ଡିରେ । ମଦ ପିଇ ଅଜ୍ଞାନ ହୋଇ ତା’ରି ଘରେ କେତେଦିନ ପଡ଼ିରହିଲା ଦିନରାତି । ଲୋକେ ଦେଖିଲେ, ସବୁ କଥା ଶୁଣିଲେ, ହସିଲେ, ଛି ଛି କଲେ । କେହି କେହି ଅବା ଆହା କଲେ ।

 

ବୋଇମତୀ ଏଇ ଗାଁର ଝିଅ । ଝିଲିପାଲିକୁ ବିଭା ହୋଇଯାଇଥିଲା; କିନ୍ତୁ ବରକୁ ଘେନି ଘର କରିପାରିଲା ନାହିଁ । ତାକୁ ଅଡ଼ୁଆ ଅଡ଼ୁଆ ଲାଗିଲା । ତା’ ଧାତୁ ଭିନେ । ସେ ଚାହେଁ-ହାତ-ଗୋଡ଼ ଅଛି, ଦିହରେ ବଳ ଅଛି, କବାର କରିବ, ପଇସା ଭେଇବ, ରାନ୍ଧିବ ବାଢ଼ିବ ଖାଇବ, ମନଇଚ୍ଛା ବୁଲିବ, ମନଇଚ୍ଛା ହସଖୁସି ହେବ । ଯାହା ପାଖରେ ମନ, ତାରି ପାଖରେ ବସାଉଠା କରିବ । ବାନ୍ଧି ହୋଇ ଜଣକ ପାଖରେ ପଡ଼ି ରହିବ କିଆଁ ? ଜଣକୁ ଡରି ହରି ଚଳିବ କାହିଁକି ? ଗଲା ସନ ମା ବୁଢ଼ୀ ତାର ମରିଯାଇଚି । ଏକୁଟିଆ ଦିନ ତାର ବେଶ୍‌ କଟିଯାଏ । ଏବେ ତା’ରି ପାଖରେ ଯୁଟିଚି ପୁନିଆ ।

 

ଠିକାଦାର ଘନଶ୍ୟାମ ଦାସଙ୍କୁ କିନ୍ତୁ ଏ କଥାଟା ପସନ୍ଦ ଲାଗେ ନାହିଁ । ଘନବାବୁ କୋଡ଼ିଏ ବର୍ଷ ତଳେ ଅନ୍ୟଆଡ଼ୁ ଏ ଅଞ୍ଚଳକୁ ଆସିଥିଲେ ଓଭରସିଅର ଚାକିରୀ କରିବାକୁ । ଚାକିରୀ ଛାଡ଼ି ଠିକାଦାରି କରୁଚନ୍ତି । ଠିକାଦାରିରେ ବେଶ୍‌ ଦି’ ପଇସା ରୋଜଗାର କରନ୍ତି ସେ । ତାଙ୍କରି ପାଖରେ ଶହେ ଦେଢ଼ଶହ କୁଲି, ରେଜା (ସ୍ତ୍ରୀ କୁଲି) କାମ କରନ୍ତି । ପୁନିଆ ତାଙ୍କର ରାଜମିସ୍ତ୍ରୀ । ଭଲ ମିସ୍ତ୍ରୀ ସେ । ଘନବାବୁଙ୍କର ହାତବାରିସୀ । ପୁନିଆ ଉପରେ ତାଙ୍କର ଭାରି ଜୋର । ପୁନିଆ ଝିଅ ଧୀରାକୁ ସେ ଟିକେ ଅଧେ ଥଟ୍ଟା କରନ୍ତି । ଏକୁଟିଆ ଦେଖିଲେ କେବେ କେମିତି ଡାକିଦିଅନ୍ତି ‘‘ଧୀରା’’ ‘‘ଧୀରା ଗୋ’’ । ପୁଣି ପର ମୁହୂର୍ତ୍ତରେ କଅଣ କହିବେ ବୋଲି ଭାବି ହୁଅନ୍ତି, କିଛି କହିପାରନ୍ତି ନାହିଁ । ଧୀରା ଛନ ଛନ ଆଖି ବୁଲାଇ ଠିକାଦାର ବାବୁଙ୍କ ଆଡ଼କୁ ଅନାଇଦେଇ ଓଠ କାମୁଡ଼ି ପକାଇ ହସିଦିଏ । ତାର ବି ପ୍ରାଣରେ ଇଙ୍ଗିତର ଢେଉ ଉଠେ । କିନ୍ତୁ ଘନବାବୁ ତେତେବେଳକୁ ଆପଣାକୁ ସଜାଡ଼ି ନେଇଥାଆନ୍ତି । ତାଙ୍କରି ଆଖି ଆଗରେ ଧୀରାର ଜନ୍ମ-। ସେଦିନର ନଙ୍ଗଳା କୁନିଟା ସେ । ଫୁଙ୍ଗୁଳା ଟୋକିଟା । ଆଜି କିନ୍ତୁ ଆଖିଦୃଶିଆ ଟୁକେଲ୍‌ଟାଏ (ଯୁବତୀ) ସେ । ହେଲେ ଘରେ ବି ତାଙ୍କର ଏଡ଼ିକିଟିଏ ଝିଅ–ଏମିତି ସୁନ୍ଦର, ଏମିତି ଯୁବତୀ-ମେନକା ତା’ର ନାଁ । ଜିଭ କାମୁଡ଼ି ପକାଇ ଘନବାବୁ କହନ୍ତି-କୁଆଡ଼େ ଯାଇଥିଲୁ କି ନୁନି, ଏକା ଏକା ? ଯା’ ଘରକୁ ପଳା ।

 

ଧୀରା ଲାଜରା ହୋଇ ମୁଣ୍ଡ ନୁଆଇଁ ପଳାଇଯାଏ । ଘନବାବୁ ବାପଠଉଁ ବଳି ବାପ ।

 

ଶୀତଦିନିଆ ସକାଳୁ ଦିନେ ଘନବାବୁ ଗାଁ ସେ ମୁଣ୍ଡକୁ ବୁଲି ଯାଇଛନ୍ତି । ହାତରେ ବଙ୍କୁଲି ବେତବାଡ଼ି । ଦେଖିଲେ ବୋଇମତୀର ଗୋଟିକିଆ ଖପରଘରର ପଟିକିଆ ବାଉଁଶ କବାଟଟି ଫିଟିଲା । ଗୋଟିଏ ବୋଲି ବଖରା । ତା’ରି ଭିତରେ ଶୁଆବସା, ତା’ରି ଭିତରେ ହାଣ୍ଡି । କବାଟ ଫିଟାଇ ବୋଇମତୀ ଆଗ ବାହାରିଲା । ତା’ ପଛକୁ ପୁନିଆ । ବାହାରକୁ ଅଇଲାକ୍ଷଣି ନଜର ପଡ଼ିଲା ଠିକାଦାରଙ୍କ ଉପରେ । ଘନବାବୁ ଡାକିଦେଲେ ‘‘କିରେ ପୁନିଆ ? ତୁ କଅଣ ଏଠି-?’’

 

ଲାଜରେ ମୁହଁ ବୁଲାଇଦେଲା ପୁନିଆ । ଜବାବ ଦେଇପାରିଲା ନାହିଁ । ଘନବାବୁ ସବୁ ବୁଝିଲେ । କିଛି ଆଉ କହିଲେ ନାହିଁ । ନିଜ ବାଟରେ ଚାଲି ଯାଉ ଯାଉ କହିଲେ–କେତେ ଦିନ ହେଲା କାମକୁ ତ ଆଉ ଯାଉ ନାଉଁ ରେ ? ଖାଉଚୁ କଅଣ ? ଆଜି ବେଳବୁଡ଼ା ମୋ ପାଖକୁ ନିଶ୍ଚେ ଯିବୁକି ?

 

ପୁନିଆ ଜବାବ ଦେଲା–ଜୁହାର ଆଜ୍ଞା, ଯିମି ।

 

(୩)

 

ଠିକାଦାର ଅଗଣାରେ ସଞ୍ଜକୁ ଭିଡ଼ । କୁଲି, ରେଜା ମଜୁରି ନିଅନ୍ତି । ହିସାବ ଲେଖାଯାଏ । ଜହ୍ନ ଉଠି ଆସିଲାଣି । ଜ୍ୟେଷ୍ଠ ମାସର ଭୟଙ୍କର ଟାଣ ଖରା ପରେ ଆଜି ଟାଣକରି ଅସରାଏ ବର୍ଷା ହୋଇଯାଇଚି । ଓଦା ଭୂଇଁରୁ ବାସ ଉଠୁଚି । ଅଗଣା ସେପଟେ କୂଅମୂଳେ ମଲ୍ଲିକଢ଼ ଫୁଟି ଆସୁଚି–ମହକି ଉଠୁଚି ବାସ । ଥଣ୍ଡା ପବନ ଅମୃତ ପରି ଲାଗୁଚି ଦିହକୁ । ଭାଟି ବାହୁଡ଼ା କେହି କେହି କୁଲି, ରେଜା କଥା କହିଲାବେଳକୁ ବାଉଳା ଚାଉଳା ହେଉଚନ୍ତି । କେହି କେହି ଅବା ଅଯଥା ହସିଉଠି ଇଆତାଆ ଉପରକୁ ଢଳି ପଡ଼ୁଛନ୍ତି । କଥା କହିଲା ବେଳକୁ କାହାରି କାହାରି ନିଃଶ୍ୱାସରୁ ରାଗୁଆ ଗନ୍ଧ ଗୋଳେଇ ହୋଇ ଆସି ଖେଳେଇ ଯାଉଚି ପବନ ସାଙ୍ଗରେ–ମଦଗନ୍ଧ–ଚାଉଲି ମହୁଲି-ଚମତ୍କାର ଉତ୍କଟ ଗନ୍ଧ ତାର । ଠିକାଦାର ବାବୁଙ୍କର ନିତିଦିନିଆ ଅଭ୍ୟାସ ଇଏ । ଗନ୍ଧ ତାଙ୍କର ଦେହସୁହା ହୋଇଗଲାଣି । ବେଳେ ବେଳେ ସେ ବି ଦି’ଚାରି ଢୋକ ଗିଳିଦେବାକୁ ଶିଖିଗଲେଣି । ଗୁମାସ୍ତାଏ ସଭିଙ୍କି ମଜୁରି ଦେଇ ଆସନ୍ତାକାଲି ପାଇଁ କାମ ବରାଦ କରି ବିଦାୟ ଦେଲେ । ଧୀରେ ଧୀରେ ସମସ୍ତେ ଉଠିଗଲେ । ଶେଷକୁ ଘନବାବୁ କହିଲେ–ରହିବୁରେ ବଇଷ୍ଣବା ! ରହଗୋ ଭାନୁମତୀ, କଥା ଅଛି ।

 

ଲୋକଗହଳି ଭାଙ୍ଗିଲା । ପୁନିଆ ଆସି ଜୁହାର ହୋଇ ବସିଲା । ଭାନୁମତୀ ଆଉ ବଇଷ୍ଣମା ବସି ରହିଲେ । ଠିକାଦାର ମାଆ-ବାପ-ଦାନାଦାର । କୁଲି ମଜୁରିଆଙ୍କ ପୋଷଣାହାରୀ ସେ ।

 

ସାଇର ଲରିଅଣୀ ଉଚ୍ଛା, ରତନୀ ଘନବାବୁଙ୍କ ଘରେ କବାର କରନ୍ତି । କେହି ପାଣି ଦିଏ, କେହିବା ବାସନ ବର୍ତ୍ତନ ମାଜେ । କେହି ଅବା ବଟାବଟି, ଘସାଘସି, ସେବା କରେ । ବଡ଼ଲୋକ ଆଉ ମଧ୍ୟବିତ୍ତ ଲୋକଙ୍କର ସେବା କରି ଦିନ କଟାଇବା ଏମାନଙ୍କ କାମ । କେହିବା ସ୍ୱାମୀ ଶଶୁର ଛାଡ଼ି ଆସିଚି । କେହି ଅବା ବିଭା ହୋଇ ନାହିଁ । କେହି କେହି କାମ କରି କରି ବୁଢ଼ୀ ହୋଇଗଲେଣି । ଏ ଜାତିଆ କାମତୁଣୀ ଏବେ ବହୁତ । ବାବୁଭୟା ଘରେ କାମ କରି, ତାଙ୍କ ପିଲାକବିଲାଙ୍କୁ ଧରି ଦିନ କଟାଇ ଦିଅନ୍ତି । ବନ୍ଧାଛନ୍ଧା ହୋଇ ସ୍ୱାମୀ, ଶ୍ୱଶୁରଙ୍କ ଆବଦ୍ଧରେ ପଡ଼ି ଦିନ କଟାଇବାକୁ ଏମାନଙ୍କ ଭିତରୁ ଅନେକଙ୍କୁ ଆଦୌ ଭଲଲାଗେ ନାହିଁ । ମୁକ୍ତ ଆକାଶର ବିହଙ୍ଗ ପରି ସ୍ୱାଧୀନ ଭାବେ ଉଡ଼ି ବୁଲିବା ଏମାନଙ୍କ ଭିତରୁ ଅନେକଙ୍କର ଅଭ୍ୟାସ । ଏମାନେ ମୂଲର ସାଥୀ, ଫୁଲର ସାଥୀ, ବୁଲିବାର ସାଥୀ ।

 

ଉଚ୍ଛା ଆସି ଘନବାବୁଙ୍କୁ ପାନବଟା ଦେଇଗଲା । ରତନୀ ହସି ହସି ପଶିଆସି ଅଗଣାଟା ବଢ଼ୁଶେଇ (ଝାଡ଼ି) ଦେଇଗଲା । ଘନବାବୁଙ୍କ ଭାଣିଜୀ ପୁଅ ଚାରି ବର୍ଷର ନବୀନବାବୁଙ୍କୁ କାଖେଇ ଏଣେ ତେଣେ ଘୂରି ବୁଲିଲା–ପଦୁଆଁ । ଏଉଟିକି ବୟସ ସତର କି ଅଠର । ଏକୁଟିଆ ଥାଏ । ଘର ଦଶ କୋଶ ବାଟରେ । ଏଠି ଭଡ଼ା କରି ରହିଚି । ସୁନ୍ଦର ଚେହେରା । ଜାତି ଜାତିକା ଗାଉଁଲୀ ଗୀତ ତାର ତୁଣ୍ଡେ ତୁଣ୍ଡେ । ବାବୁଘର ପିଲାଙ୍କୁ ଖେଳାଏ ।

 

ପିଲାଟିକି ହାତେ ହାତେ ନଚାଇ ଗୀତ ବୋଲୁଥାଏ–

 

ତାକ ଦୁଲ ଦୁଲ ଦୁଲ୍‌

ପିଡ଼ାତେ ମାଖନ (କଖାରୁ) ଫୁଲ ।

 

ଠିକାଦାର ବାବୁ ଖିଲେ ପାନ କଳକୁ ଜାକିନେଇ ପଦୁଆଁକୁ କହିଲେ-ଯାଆ ତୁ ଏଠୁ । କାମ ଅଛି ।

 

ପଦୁଆଁ ଛୁଆଟାକୁ ଧରି ବାହାନା କରି ଏଆଡ଼କୁ ଆସିଥିଲା ସିନା; କିନ୍ତୁ ତାର ଉଦ୍ଦେଶ୍ୟ ଥିଲା ଅନ୍ୟ ପ୍ରକାରର । ଅନିଚ୍ଛା ସତ୍ୱେ ସେ ଦାଣ୍ଡକୁ ଚାଲିଗଲା । ସେପଟ ମେଲା ଘରେ ରହନ୍ତି ଗୁମାସ୍ତା ବାବୁ । ଟୋକା ଉମର–ବ୍ରଜକିଶୋର ମହାନ୍ତି । ବିଭା ହୋଇ ନାହାନ୍ତି । ପଦୁଆଁ ଆସିବ ବୋଲି ବରଣ୍ଡା ଉପରେ ଟହଲୁଚନ୍ତି । ପ୍ରବଳ ଖରା ପରେ ଆଜି ବରଷା । ପବନରେ ନିଆଁ ଜଳୁଥିଲା, ଆଜି ଶୀତଳ ପଡ଼ିଯାଇଚି । ଆକାଶରେ ଜହ୍ନ ହସୁଚି, ତାରା ମୁରୁକି ଉଠୁଚନ୍ତି । ବନ୍ଧହୁଡ଼ାରୁ ଟୁକେଲମାନଙ୍କର ଜାତି ଜାତିକା ଗୀତ ଶୁଭୁଚି । ନବୀନ କିଶୋରଙ୍କୁ କାଖରେ ଧରି ପଦୁଆଁ ଆସି ସେଇ ପିଣ୍ଡାତଳେ ଟହଲି ବୁଲିଲା । ହାତରେ ତାର ବନ୍ଧୁରିଆ, ଦିହରେ ରଙ୍ଗ ଶାଢ଼ୀ-ଫୁଲଧଡ଼ିଆ, ଫୁଲପଣନ୍ତିଆ । ମୁଣ୍ଡରେ ବାଆଁକୁ ମାଡ଼ି ବାଙ୍କ ଜୁଡ଼ାରେ ମଲ୍ଲିଫୁଲର ମାଳ । ଡଉଲ ଡାଉଲ ଦିହହାତ ତା’ର ଫାଟିପଡ଼ୁଚି–ରୂପରେ ଆଉ ଯୌବନରେ ।

 

ଗୁମାସ୍ତାବାବୁ ଧୀରେ କହିଲେ–କିଗୋ ପଦୁଆଁ, ଦିନଯାକ ତ ଦେଖା ନାହିଁ !

 

ପଦୁଆଁ ହସିଲା । ଦୂରକୁ ଘୁଞ୍ଚିଗଲା । ଏଣେ ତେଣେ ଆଖି ବୁଲାଇ ଆଣିଲା । ଧୀର ସ୍ୱରରେ ଢଗଟି ମେଲିଦେଲା–

 

ତମର ଆମର ସାଙ୍ଗ

ଏମେ-ଦଉଚୁଁ ନଡ଼ିଆ ଭାଙ୍ଗ ।

ତୁମର ଆମର ସହି

ଏବେ-ମନକଥାଟିକି କହି

ତୁମର ଆମର ମିତ

ଆଜି-ଲାଗିଲାଣି ଭାରୀ ଶୀତ ।

 

ଗୁମାସ୍ତାବାବୁ ମୃଦୁ ହସି ପାଖକୁ ଲାଗିଆସିଲେ । ପଦୁଆଁ ହସି ହସି ଦୂରକୁ ପଳାଇଗଲା-। ରହସ୍ୟର ଜାଲ ପାତି ନିଜେ ନାଚି ଅନ୍ୟକୁ ନଚାଇ ଡହଳ ବିକଳ କରିବାରେ ତାର ଆନନ୍ଦ-। ପାଖକୁ ଲାଗି ଆସି ଦୂରକୁ ଘୁଞ୍ଚି ପଳାଇବାରେ ତାର ବାହାଦୁରୀ । ଧରା ଦେଇ ଧରା ନ ଦେବାରେ ତାର ଗର୍ବ ଓ ଗୌରବ ।

 

ତେଣେ ଭାନୁମତୀକି ଡାକି ଠିକାଦାର ବାବୁ କହିଲେ–ଆଗୋ ଭାନୁମତୀ, ତୋ ବୁଇଟା (ଝିଅଟା) କେଡ଼ୁଟାଏ ହୋଇଗଲାଣି ମ ! ଆଜି ଦେଖିଲି, ଭାରି ସୁନ୍ଦର ଦିଶିଲାଣି ତ ! ମୁଁ କହୁଚି ତୁ ତାକୁ ଆମ ମିସ୍ତ୍ରୀକୁ ଦେ । ପୁନିଆଟି ରୋଜଗାରିଆ ଲୋକ । ତୁ’ତ ଜାଣୁ ସେ ମୋର ଭୁଜନୀ (ଡାହାଣ) ହାତ । ତାର ବି ଘର ଭାଙ୍ଗିଚି, ତୋର ବି ଝିଅ ବଡ଼ଖା (ବଢ଼ିଚି) ହୋଇଚି । ପୁନିଆକୁ ତ ବେଶି ଉମର ନୁହଁ ଗୋ ! କିରେ ବଇଷମା,–କାଁ ବୋଲୁଚୁ ? (କଅଣ କହୁଚୁ ?)

 

ବଇଷ୍ଣବା ବହୁତ ଦିନ ହେଲା ଘନବାବୁ ପାଖରେ କାମ କରି କୁଟୁମ୍ବ ପୋଷେ । ଦାନାଦାର ଘନବାବୁ, ଦେବତା । ତାଙ୍କ କଥାରେ ଅବା ସେ ଆଉ କଅଣ କହନ୍ତା ? କହିଲା ଆଜ୍ଞା, ବନେ ହେବା (ଭଲ ହେବ) ।

 

ଭାନୁମତୀ ବଇଷ୍ଣବା କଥା ଶୁଣି ନିଜେ କିଛି ଭାବିବାକୁ ବେଳ ନ ପାଇ କହିଲା–ଆଜ୍ଞା, ସେଇ କଥା ହଉ । ସୁରୁବାଲୀ ତ ଆଜ୍ଞାଙ୍କ (ଆପଣଙ୍କ) ଝିଅ । ମୁଇଁ କି କହିବି ?

 

ତା’ର ବୁଆ (ବାପ) ନାଇଁ ଯେ ହଜୁର ତାର ବୁଆ । ଆଜ୍ଞା ତ ସବୁ କରିବେ ।

 

ଘନବାବୁ କହିଲେ–ଶୁଣିଲୁ ପୁନିଆ ? ସବୁ ଯୋଗାଡ଼ କର । ଦରକାର ପଡ଼ିଲେ ମୁଁ ଟଙ୍କା ଟୁକର ଦେବି । କେବେ ଭଲ ଦିନ ଅଛିରେ ?

 

ସେଇଠି ଠିକଣା ହେଲା–ପନ୍ଦର ଦିନ ପରେ ବାହା ଅଛି । ଭାନୁମତୀ ସୁରୁବାଲିକି ପଠାଇଦେବ । ପୁନିଆ ଭାଇଭାତ ଦେବ । ଚାରି ମାଠିଆ ମଦ ଆସିବ । ନାଚ ହବ । ପୁନିଆ କନିଆ ହାତକୁ ବନ୍ଧୁରିଆ (ରୂପାର ଖଡ଼ୁ) ଦବ, ବେକକୁ ରୂପାର ହାର ଦବ, କାନକୁ ଦି’ପଟ ନୋଳି ଦବ ।

 

ପୁନିଆ ମନ ପୂନେଇର ଜହ୍ନ ପରି ଫୁଲିଉଠିଲା । ସୁରୁବାଲୀଟି ଚାନ୍ଦଉଦିଆ ପରି ସୁନ୍ଦର-। ଚଉଦ ପନ୍ଦର ବର୍ଷର ବଡ଼ଖା ଟୁକେଲ । କାମଦାମକୁ ଭାରୀ ମଜଭୁତ ।

 

ଘନବାବୁଙ୍କ ମନ ଭିତରେ ବି ଢେଉ ଖେଳୁଚି । ସୁରୁବାଲୀ ଗଣ୍ଡଉଣୀ ହେଲେ କି ହେଲା, ଆଚ୍ଛା ଆଖି ଦୁରୁଶିଆ । କେତେ ଥର ନଜରରେ ପଡ଼ିଲାଣି । ଭାରି ହସେ । ହସି ହସି ଗଡ଼ିଯାଏ । ଗୀତ ବୋଲିବ ଯେ କୋକିଳ ପରି କଣ୍ଠ ଶୁଭିବ । ଏଇ ସାଇକି ଆସିବ ତ ! ଆଖି ଆଗରେ ଚଳିବ । ଏଇଠିତ ରହିବ । ଘନବାବୁଙ୍କ ପାଖରେ ତ କବାର କରିବ !

 

(୪)

 

ନାଚ, ଗୀତ, ବାଜା, ମଉଚ୍ଛବ ଭିତରେ ସୁରୁବାଲୀ ଆସିଲା ପୁନିଆ ଘରକୁ । ବିଭା ବଢ଼ିଲା । ଘନବାବୁ ନିଜେ ଆସି ମୁଦି ଦିଇଟା ଦେଇ ସୁରୁବାଲୀକି ଦେଖି ଗଲେ । ଗୋରୀ ହୋଇ ପିଲାଟିଏ । ହସ ହସ ଚେହେରା ।

ସୁରୁବାଲୀର ବାହାଘରକୁ ଆସିଲା ନାହିଁ ଧୀରା-ପୁନିଆର ଝିଅ, ଆଗ ଭାରିଜାର-ବାପର ବାହା ଦେଖନ୍ତି ନାହିଁ ବୋଲି । ମାସକ ପରେ ଆସିଲା । ମନ ଛନ ଛନ, ପଛ ମାଆକୁ ଦେଖିବାକୁ ଉଚ୍ଛନ୍ନ । ସେତେବେଳକୁ ସୁରୁବାଲୀ ଭଙ୍ଗା କୁଡ଼ିଆ ଖଣ୍ଡକୁ ସଜାଡ଼ି ନେଲାଣି । ଲିପାପୋଛା କରି ଭଙ୍ଗା ଫଟା ଖପର କେତେ ଖଣ୍ଡକୁ ବଦଳାଇ ଦେଇ ବାଡ଼ିଘର ଓଳେଇ ସଫାସୁତୁରା କରି, ଚଉକତି କଣ୍ଟାବାଡ଼କୁ ନିବୁଜ କରି ବୁଜିଦେଇ ତନଛନ କରିଦେଲାଣି । ଗରିବ ଘରର ଝିଅ ସେ । ରେଜା କୋଳରୁ ଜନ୍ମି କୁଲିଘରେ ବଢ଼ିଚି । ହେତୁ ପାହିଲା ଦିନୁ ପର ଦୁଆରେ ମାଟି ବୋହି, ଗୋଡ଼ ମୁଣ୍ଡାଇ, କବାର କରି ଏଡ଼ୁଟିଏ ହେଲା–ତାକୁ ଘରକାମଟା ବିଚିତ୍ର କଅଣ ? ହରିଜନ ବୋଲି ଉଚ୍ଚ ଜାତିର ଲୋକେ ସିନା ଘୃଣା କରନ୍ତି–ନିଜ ମନର ମୋଟା ଦାମିକିଆ ଅହମିକା ମୋହରେ; କିନ୍ତୁ ସୁରୁବାଲୀର ଘରଦ୍ୱାର ଛବିଭଳି ସୁନ୍ଦର ଓ ପରିଷ୍କାର । ହାଣ୍ଡିଶାଳ ତାର ସଫାସୁତୁରା । ହାଣ୍ଡିଦିଓଟି ଚକ୍‌ ଚକ୍‌ ଝଟକୁଥାଏ । ବାସନବର୍ତ୍ତନ ଦିଓଟି ରୂପା ପରି ଝଲକୁଥାଏ । କଳସୀ ଗଗରା ତାର ନୂଆ ପରି ଚକଚକ ସଦାବେଳେ । ପିଣ୍ଡା ତଳକୁ ଖଣ୍ଡିଏ ଖଟିଆ–ଅଇଲା ଗଲା ଲୋକେ ବସିବେ ବୋଲି । ଛୋଟ ଘରଟି ଭିତରେ ଅଲଗୁଣୀ । ସେଥିରେ ସଫାସୁତୁରା ଲୁଗା କବଟା କେତେ ଖଣ୍ଡି । ସୁରୁବାଲୀ ତ ଉଚ୍ଚ ଜାତିର ଲୋକଙ୍କ ପରି ନିଜ କପଡ଼ା ସଫା କରିବାକୁ ପର ହାତକୁ ଅନାଇ ବସେ ନାହିଁ ନିଜେ ସିଝାଇ ନିଜେ କାଚେ–ତାର ଭାବନା କଅଣ ?

ରୋଷଇଘରେ ହାଣ୍ଡିରେ ତାର ପଖାଳ ଦିଓଟି ସଦାବେଳେ ଥାଏ । କୁଲି ମଜୁରିଆ ଘର, ପର ଦୁଆରେ ପାଇଟି ଖଟିବାକୁ ଯିବାକୁ ପଡ଼େ । ରାତିକି ଥରେ ରାନ୍ଧେ । ଉଲି (ପିଆଜ), ମିର୍ଚା (ଲଙ୍କା), ଲୁଣ ସବୁଦିନିଆ ତିଅଣ ତାର । ଡାଲି ତରକାରୀ ଭୋ’ଦେବା ଦିନେ ଅଧେ ହେଲେ ହେଲା, ନ ହେଲେ ବି ପରବାଏ ନାହିଁ । ବାରି ଘରେ ଶାଗ ଅଛି, ମୁନୁଗା (ସଜନା) ଗଛ ଅଛି; ବର୍ଷାଦିନେ ମାଖନ (କଖାରୁ), କଖାରୁ (ପାଣିକଖାରୁ), ଶୀତଦିନେ ଶିମି (ଶିମ), ପୋଇ, ଲାଉ । କିଏ ଖାଇବ କେତେ ? ବେଳକାଳ ଉଣ୍ଡି ଦିଇଟା ମଞ୍ଜି ପୋତି ଦେଇଥିଲେ–ହେଲା ଫଳ । ନୋହିଲେ ସଦାଦିନିଆ ମୁନୁଗା ଶାଗ ଓ ଛୁଇଁ ତ ଅଛି । ଗଛରେ ଝୁଲୁଚି !

ଦି’ ବଖରା ଘର । ବଖୁରିଏ ଶୋଇବା ପାଇଁ, ଆଉ ଆରଟି ରାନ୍ଧିବା ପାଇଁ । ଉପରେ ଖପର ଛାଉଣି । ମେଲା ଅଗଣାରେ ସଦାବେଳେ କାରବାର । ଦି ମାସ ପରେ ବୁଲାଚଲା ହୋଇଆସିଲା–ଧୀରା । ଆଉ ଆସିଲା-ନବୀନା । ତଳେ ମୁଣ୍ଡ ଲଗାଇ ନୂଆ ମାଆକୁ ଧୀରା ଓଳଗି ହେଲା । ଜୋଇଁ ନବୀନା କିନ୍ତୁ ଦି’ ହାତ ଯୋଡ଼ି ଶାଶୁକୁ ନମସ୍କାର ହେଲା । ମୁଣ୍ଡିଆ ମାରିବାକୁ ତା’ ମନ ଗଲା ନାହିଁ । ଶାଶୁ ହେଲେ କି ହେଲା, ସୁରୁବାଲୀଟି ଅତି ଛୋଟ ପିଲାଟିଏ ଯେ ! ଧୀରାଠଉଁ କେଡ଼େ ସାନ ! ସୁରୁବାଲୀ ବନ୍ଧକୁ ଗଲାବେଳେ ସାଇପଡ଼ିଶାଙ୍କ ଠଉଁ ଜାଣି ଚିହ୍ନିଥିଲା–ଏ ଦୁହେଁ ତାର ଝିଅଜୋଇଁ ବୋଲି । ଝିଅର ହାତ ଧରି ଘର ଭିତରକୁ ଘେନି ନେଇଗଲା ସୁରୁବାଲୀ । ଜୋଇଁପୁଅକୁ ଖଟିଆ ଦେଖାଇ କହିଲା–ବସ ।

ସେତେବେଳେ ପୁନିଆ ନ ଥିଲା । ପହଡ଼େ ବସି ଝିଅଜୋଇଁ ବାହାରିଲେ ଯିବାକୁ । ସୁରୁବାଲୀ ପାନ ଖିଲେ ଖିଲେ ଦେଇ ମର୍ଯ୍ୟାଦା କରି ବିଦା କଲା । ପୁନିଆ ରାତିକୁ ଫେରିଲାରୁ ସବୁ ହାଲ ଶୁଣିଲା । ଖୁସୀ ହେଲା ପରି ଜଣାପଡ଼ିଲା ନାହିଁ । ଖାଲି କହିଲା–ହୁଁ ଉଁ ।

ପୁନିଆ ଘନଶ୍ୟାମ ବାବୁଙ୍କ କାମକୁ ଯାଏ । ରାଜକାମ । ଦିନକୁ ଦୁଇ ଟଙ୍କା ଅଢ଼େଇ ଟଙ୍କା ପାଏ । କାମ ବଢ଼ିବା ସଙ୍ଗେ ସଙ୍ଗେ ମଜୁରି ବି ବଢ଼ି ଚାଲିଚି । ମଜୁରି ବଢ଼ିଲାରୁ ମଦ କିଣାବିକାର ପରିମାଣ ବି ବଢ଼ି ଚାଲିଚି । ଭାଟିର କଳେବର ବଢ଼ୁଚି । ରାମ ରାମ ଭଗତଙ୍କ ପେଟ ବଢ଼ୁଚି, ଆଖି ବଢ଼ୁଚି, କୋଠା ବଢ଼ୁଚି, ଡିହବାଡ଼ି, ବାଗବଗିଚା ବି ବଢ଼ି ଚାଲିଚି । ତା’ ସଙ୍ଗେ ସଙ୍ଗେ ତାଙ୍କ ଡିହବାଡ଼ିର କଳେବର ଭିତରେ ରସାତଳକୁ ଭୁସିହୋଇ ପଶିଯାଉଚନ୍ତି କେତେ କେତେ ଗରିବ ମଜୁରିଆଙ୍କ ଘରସଂସାର ଧରି । ସେମାନେ ଦେଇଦେଶାନ୍ତରୀ ହୋଇ କିଏ କୁଆଡ଼େ ଗଲେଣି ଚାଲି ।

 

ମଦଭାଟି ବାଟ ଦେଇ ଘରକୁ ଫେରୁ ଫେରୁ ପୁନିଆର ଏଣିକି ଏଣିକି ରାତି ପହଡ଼େ ଗଡ଼ି ଯିବାକୁ ଆରମ୍ଭ କଲାଣି । ଘରେ ପହଞ୍ଚିଲା ବେଳକୁ ହାତରେ ପଇସାଟିଏ ନ ଥାଏ । ଯାହା ରୋଜଗାର କରେ ଭାଟିରେ ଦେଇ ଆସେ । ସଙ୍ଗରେ ପୁଣି ଆଣିଥାଏ ବୋତଲମଦ–ରାତିରେ ପୁଣି ଥରେ ପିଇବବୋଲି । ସୁରୁବାଲୀ ଦିନରେ କାମକୁ ଯାଏ, ବାରଣା ଚଉଦଅଣା ରୋଜଗାର କରେ । ଚାଉଳ କିଣେ, ଜାଳ, ତେଲ, ଲୁଣ, ଲଙ୍କା, ମସଲା କିଣି ଆଣେ । ପଇସାଟିଏ ହାତରେ ରଖିପାରେ ନାହିଁ । ରାନ୍ଧିବାଢ଼ି ସ୍ୱାମୀକି ଖାଇବାକୁ ଦିଏ ଆପେ ଖାଏ । କିଛି କାହାରିକି କହେ ନାହିଁ । ସ୍ୱାମୀକି ପଇସା ମାଗିପାରେ ନାହିଁ । ମାଗିଲେ ସେ ଗାଳିଦିଏ, ମାରେ । ଏମିତି ଏମିତି ନିତିଦିନିଆ ସଂସାର ଚଳେ । ତେବେ ବି ସଦାବେଳେ ହସ ହସ ମୁହଁ ତାର । ଆନନ୍ଦର ଝରଣା ସେ । କୌଣସି କଥାରେ ଦୁଃଖ ନାହିଁ ତାର । ପୁନିଆ ସୁରୁବାଲୀ କି ଡାକିଲା–ନେ, ଆଣିଚି ତୋ ପାଇଁ ଏତିକି । ପିଇଦେ ଦେଖିବୁ କେଡ଼େ ମଜା ।

 

ସୁରୁବାଲୀ ହସିଦେଇ କହିଲା–ଛି ! ମୁଁ ପିଇବି ନାହିଁ । ତୁମେ ତ ଯାହା ରୋଜଗାର କରୁଚ, ସବୁ ପିଇ ଉଡ଼େଇ ଦଉଚ । ମୁଁ ପିଇଲେ ଆମେ ଖାଇବା କଅଣ ? ମୁଁ କଅଣ କହୁଚିକି–ତୁମେ ଏକୁ ଛାଡ଼ି ଦିଅକି, ବେଳ ଅବେଳକୁ ଦି’ ପଇସା ହାତରେ ରଖିବା । ସବୁଦିନେ ତ ଆଉ ସମାନ ଦିନ ଯିବ ନାହିଁ ।

 

ମଦନିଶାରେ ବେହୋସ ହୋଇ ପଡ଼ି ଯାଉ ଯାଉ ପୁନିଆ କଅଣ ଜବାବ ଦେଲା, ସୁରୁବାଲୀ ବୁଝି ପାରିଲା ନାହିଁ । ପୁନିଆ ଲଙ୍ଗଳାମୁକୁଳା ହୋଇ ପଡ଼ିଥାଏ । ଘର ଭିତରେ ପଟି ଖଣ୍ଡେ ପାରି ବହୁତ ବେଳଯାଏ ମନଦୁଃଖରେ ଏପଟ ସେପଟ ହୋଇ ହୋଇ ସୁରୁବାଲୀ ଭାବିଲା–ସବୁଦିନେ କଅଣ ତାର ଦିନ ଏଇପରି ଯିବ ? ଆଖିରେ ତାର ଲୁହ ଜକେଇ ଆସି ଚଟେଇ ଉପରକୁ ଗଡ଼ିପଡ଼ିଲା । କଇଁ କଇଁ ହୋଇ ସେ କାନ୍ଦୁ କାନ୍ଦୁ କେତେବେଳେ ନିଦ ଆସିଗଲା, ସେ ଜାଣିପାରିଲା ନାହିଁ । କାଉ କାଆ କଲାରୁ ସୂର୍ଯ୍ୟ ଉଠିଲା । କାରଣ କବାଟର ଜଳାବାଟେ ସେ ଘର ଭିତରକୁ ଆଲୁଅ ପଡ଼ିଲା । ଉଠିପଢ଼ି ଦୀର୍ଘନିଃଶ୍ୱାସ ଟାଣି ସୁରୁବାଲୀ ବାର ପାଇଟିରେ ଲାଗିଗଲା ।

 

ଦୁଃଖୀର ପୁରୁଣା ଦିନଟିଏ ଗଲା, ଆଉ ନୂଆ ଦିନଟିଏ ଆସିଲା ।

 

ଅଶିଣ ମାସିଆ ସଞ୍ଜ ବୁଡ଼ିଗଲାଣି କେତେବେଳୁ । ଅନ୍ଧାର ପକ୍ଷର ରାତି ମାଡ଼ିଆସୁଚି । ଆକାଶରୁ ମିଟି ମିଟିକା ତାରାଗୁଡ଼ିକ କ୍ଷୀଣ ଆଲୁଅରେ ଝାପ୍‌ସା ଦିଶୁଛି । ବେଳେ ବେଳେ ଧଳା ବାଦଲ ଖଣ୍ଡେ ଅଧେ ଆକାଶର ଏପଟରୁ ସେପଟଯାକେ ଭାସିଯାଉଚି । ଜୀରା ପୋଲ ପାରି ହୋଇ ଟଳି ଟଳି ଚାଲିଛି ପୁନିଆ । ସକାଳ ନଅଟାରେ କାମକୁ ଯାଇଥିଲା, ସଞ୍ଜକୁ ମଦଭାଟି ବାଟ ଦେଇ ଫେରୁଚି । ବାଁ କାନ୍ଧ ଉପରେ ଡେଇଁ ପିଠି ଉପରକୁ ଝୁଲୁଚି–ରାଜମିସ୍ତ୍ରୀ ସରଞ୍ଜାମ–ମୁଣିଟି ଭିତରେ କରଣି ଦି’ ଖଣ୍ଡ, କାଠର ଓସାଟାଏ ଆଉ ଗଜଟାଏ । ଭୁଜନୀ ହାତରେ ବୋତଲଟାଏ । ଭିତରେ କିଛି ମଦ ଅଛି । ଚାଲିଚି ଆଗକୁ ଢଳି ଢଳି, ଟଳି ଟଳି । ଅଜ୍ଞାନତା ଭିତରେ ଜ୍ଞାନ ବି ଅଛି-। ମନକୁ ମନ କହି ଦେଉଚି–ସୁରୁବାଲୀ କି ଦି’ ଚାରିଥର ଯାଚିଲିଣି; ଖାଉ ନାହିଁ । ରାଜି ହେଉ ନାହିଁ-। ନ ଖାଉ, ମରୁ ସେ । ସୁରୁବାଲୀ ମଦ ପିଉ ନାହିଁ ବୋଲି ପୁନିଆର ମନରେ ଅବଶୋଷ ।

 

ବାଟ ମୋଡ଼ରେ କାହା ତୁଣ୍ଡ ଶୁଭିଲା–ଗଳି ଭିତରେ କିଏ ଆଉଚ ହୋ ? –ସ୍ତ୍ରୀ ଲୋକଟିର ପାଟି । ପୁନିଆ କାନରେ ବାଜିଗଲା–ଚିହ୍ନା ପାଟି । ଠିଆ ହୋଇ ପଚାରିଲା–କିଏ ଡାକ୍‌ସ ଗୋ, ବୋଇମତୀ ନା ?

 

ହାଁ ଗୋ, କାଁ ବୋତୁଚ ? ମୁଇଁ ଡାକିଲି ଗୋ, ଆସ ।

 

ଧୀରେ ଧୀରେ ପୁନିଆ ଗଡ଼ିଚାଲିଲା ରାସ୍ତାକଡ଼କ ମୋଡ଼ ଭାଙ୍ଗି । ସରୁ ଗଳି ଭିତରେ ବୋଇମତୀର ଘର । ସଞ୍ଜୁଆ ଅନ୍ଧାର ଭିତରେ ବୋଇମତୀ ଦଉଡ଼ିଆ ଖଟିଆଟି ଉପରେ ବସିଚି । ପୁନିଆ ଯାଇ ତା’ ପାଖରେ ଠିଆ ହେଲା । ବୋଇମତୀ ହସି ହସି କହିଲା-ବସ ଗୋ । ଏତେ ଦିନକେ ଆଇଚ, ବସ ।

 

ପୁନିଆ ବସିପଡ଼ିଲା-ତା’ରି ପାଖରେ ।

 

ବୋଇମତୀ ପଚାରିଲା–କାଁ ବୋଲୁଥିଲ ଗୋ, କିଏ ଖାଉ ନାଇଁ ମ ?

 

–ଏଇ ସୁରୁବାଲୀ । ବୋଲୁଚି-ମଦ ମୁଇଁ ପିଇବି ନାଇଁ । ସତୀପଣିଆ ଦେଖେଇ ହଉଚି ଗୋ ।

 

–ସତୀପଣିଆ ଗୋ–ସତୀପଣିଆ । ମଦ ଖାଇବ ନାଇଁ ? ଭାରି ଗର୍ବ ତାର । ତୁମେ ତ ସେଇ ଠିକାଦାର କଥା ଶୁଣି ତାକୁ ବିଭା ହେଲ । ମୁଇଁ ବୋଲୁଥିଲି କଅଣ, ତୁମେ ତ ମାନିଲ ନାଇଁ ଗୋ । ଆଚ୍ଛା, ମଦ ଆଣିଚକି ? ଦିଅ, ମୁଇଁ ପିଇବି ।

 

ବୋଇମତୀ ଆଡ଼କୁ ଢଳିପଡ଼ି ଆନନ୍ଦରେ ପୁନିଆ ତା’ ମୁହଁ ପାଖକୁ ମଦ ବୋତଲ ଢାଳି ଦେବାଲାଗି ଠିପି ଫିଟାଇ ଦେଇ କହିଲା–ସାବାସ୍‌ ବୋଇମତୀ; ନେ, ପି, ତୁଇ ମୋର ରାଣୀ ଗୋ, ମୁଇଁ ତୋର ରଜା ।

 

ବୋଇମତୀ ପାଟିରେ କିଛି ଢାଳିଦେଲା । ତା’ ପରେ ବୋଇମତୀ ମଦ ବୋତଲକୁ ତା’ଠାରୁ ନେଇ ପୁନିଆ ପାଟିରେ କିଛି ଢାଳିଦେଇ କହିଲା–ପିଅ । ମୁଇଁ ତୋର ରାଣୀ ଗୋ, ତୁଇ ମୋର ରାଜା ।

 

ଦିହେଁ ବଣ୍ଟା କୁଣ୍ଟା ହୋଇ ମଦତକ ପିଇଲେ । ପୁନିଆ ଅଜ୍ଞାନ ହୋଇ ସେହିଠାରେ ପଡ଼ି ରହିଲା ।

 

ଏଣେ ଭାତ ତିଅଣ ରାନ୍ଧି ସୁରୁବାଲୀ ପୁନିଆର ବାଟକୁ ଅନାଇ ଘର ବାହାର ହେବାକୁ ଲାଗିଲା । ରାତି ଗଡ଼ି ଚାଲିଲା । ମେଘ ଢାଙ୍କି ଦେଲା । ଅନ୍ଧାର ଘୋଟି ଆସିଲା । ତେବେ ବି ପୁନିଆର ଦେଖା ନାହିଁ । ସୁରୁବାଲୀର ମନ ପାପ ଛୁଇଁଲା । ଭାବିଲା–ଆଜି ନିଶ୍ଚେ ବେଶି ମଦ ପିଇଦେଇ କୋଉଠି ରାସ୍ତା କଡ଼ରେ କି ନିର୍ଦ୍ଦମା ଭିତରେ ପଡ଼ଯାଇଛି, ଜ୍ଞାନ ନାହିଁ ।

 

କିନ୍ତୁ ଉପାୟ କିଛି ନାହିଁ । ଆପେ ତ ମାଇପି ଲୋକ, ଅନ୍ଧାର ରାତିରେ କାହିଁ ବା ଖୋଜିବ ? କାହାକୁ ବା ପଠାନ୍ତା–ସାଇପଡ଼ିଶାରୁ । କିନ୍ତୁ ଯେଝା ଘରେ ଏତେବେଳକୁ ମର୍ଦଯାକ ମଦନିଶାରେ ବିଭୋଳ ହୋଇ ପଡ଼ିଥିବେ । ଡାକିବା କଥା ତେଣିକି ଥାଉ । ଘରେ ନିଆଁ ଲାଗିଲେ ବି କେହି ଉଠିବେ ନାହିଁ ।

 

ଛଟପଟ ହୋଇ ରାତିଟି କଟାଇ ଦେଲା–ମନ ବିକଳରେ । ବୁହେ କାନ୍ଦିଲା, ବୁହେ ରାଗିଲା, ବୁହେ ହାତଗୋଡ଼ ବାଡ଼େଇ ହେଲା । ତେବେ ବି ଖାଇଲା ନାହିଁ, କି ପିଇଲା ନାହିଁ । ନିଘୁମ ରାତିରେ ନିଶା ଗରଜୁଥାଏ । ଏକୁଟିଆ ବସି ମାଆକୁ ବାହୁନି କାନ୍ଦି ପକାଇଲା । କିନ୍ତୁ ସେତେବେଳକୁ ତିନି ମାସ ତଳେ ମାଆ ବି ତାର ମରିଯାଇଥାଏ । ବାପଘରେ ଆଉ କେହି ତାର ସାହାପକ୍ଷ ବୋଲି ନାହାନ୍ତି । ଏଣେ ସ୍ୱାମୀଙ୍କ କଥା ଏଇଆ ।

 

ରାତି ପାହିଲା । ସୁରୁବାଲୀ ଘରୁ ବାହାରି ଜୀରା ସେପଟେ ମଦଭାଟି ଯାକେ ଖୋଜି ଖୋଜି ଗଲା । କିନ୍ତୁ ପୁନିଆକୁ ଦେଖିଲା ନାହିଁ । ଅତି ବିକଳରେ ଲେଉଟି ଆସି ଘରେ କବାଟ କିଳି ପଶି ଗୁମୁରି ଗୁମୁରି କାନ୍ଦିବାକୁ ଲାଗିଲା; ଉଠିଲା ନାହିଁ କି ଦାନ୍ତପତ୍ର ଘଷିଲା ନାହିଁ ।

 

ଦିନ ଦଶଟା ବେଳକୁ ପୁନିଆ ଆସି କବାଟରେ ହାତ ମାରିଲା–କିଲୋ ! ଉଠିବୁ ନାଇଁ କି ? କେତେ ଶୋଇଚୁ ?

 

ରାଗରେ ଥରି ଥରି ଉଠିଆସିଲା–ସୁରୁବାଲୀ–କୁଆଡ଼େ ଥିଲ କି ଏତେବେଳ ଯାକେ ?

 

କବାଟ ଫିଟାଇ ଦେଇ ସ୍ୱାମୀ ମୁହଁକୁ ଅନାଇଦେଇ ଥକ୍‌କା ହୋଇଗଲା ସେ । କଳାକାଠ ପଡ଼ିଯାଇଚି ପୁନିଆ । ସବୁ ରାଗ ତା ମନରୁ ଉଭେଇଗଲା ।

 

ପୁନିଆ ପିଣ୍ଡା ଉପରେ ବସିପଡ଼ି କହିଲା–ମତେ କଅଣ ଖାଇବାକୁ ଦେଏ ତ ସୁରୁବାଲୀ-। ମୁଁ କାଲିଠଉଁ କିଛି ଖାଇ ନାହିଁ ।

 

ସବୁ ଭୁଲିଗଲା ସୁରୁବାଲୀ । ଝଟ ମୁହଁହାତ ଧୋଇ ଗାଧୋଇ ଆସି ପଖାଳ କଂସାଏ ବାଢ଼ି ଥୋଇଦେଲା । ତିଅଣ ତରକାରୀ ବାଢ଼ିଦେଲା । ପୁନିଆ ପେଟେ ଠୁଙ୍କିଦେଲା । କିନ୍ତୁ ପଚାରିଲା ନାହିଁ–ତୁ କଅଣ ଖାଇ ନାହୁଁ କି ?

 

ସେଇ କଥାଟା ବେଶି ବାଧିଲା ସୁରୁବାଲୀକି । ଖାଇପିଇ ସାରି ପୁନିଆ ଅଗାଧୁଆ ଚାଲିଗଲା କାମକୁ । ସୁରୁବାଲୀ ପହଡ଼େ କାଳ ମୁଣ୍ଡରେ ହାତ ଦେଇ ବସି ବସି ଭାବିଲା–ଏ ମଣିଷଟା ପଥର ନା କଅଣ ? ମୁଁ ତା’ ମନକୁ ପାଇ ନାହିଁ ?

 

ଏ ପ୍ରଶ୍ନ ଦୁଇଟାର ଜବାବ ସେ କୌଣସି ପ୍ରକାରେ ପାଇପାରିଲା ନାହିଁ । ଶେଷକୁ ପେଟର ଜ୍ୱାଳା ସହି ନ ପାରି ଭାତ ବାଢ଼ି ଖାଇଲା । ଖାଇ ସାରି ଶୋଇପଡ଼ିଲା । କାମକୁ ଗଲା ନାହିଁ ।

 

ସେଦିନ ରାତିରେ ବି ପୁନିଆ ବୋଇମତୀ ଘରକୁ ଗଲା । ସେହିଦିନଠାରୁ ନିଇତି ତେଣିକି ଚାଲିଲା । ମନ ହେଲେ ଏବଂ ନିଶା କମ୍‌ ଥିଲେ କେବେ କେମିତି ରାତି ତିନି ପହର ବେଳକୁ ଘରକୁ ଆସେ, ନୋହିଲେ ନାହିଁ ।

 

ଧୀରେ ଧୀରେ ସୁରୁବାଲୀ ସବୁ ସହିଲା । ସହି ସହି ପଥର ପାଲଟିଲା । ସବୁ କଥା ଶୁଣିଲା । ସବୁ ଘଟନା ଜାଣିଲା । ତେବେ ବି ସ୍ୱାମୀକି କିଛି କହିଲା ନାହିଁ । କହିବାକୁ ତୁଣ୍ଡ ଫିଟିଲା ନାହିଁ । ମନର କଥା କେବଳ ମନ ଜାଣିଲା, ଆଉ ଭଗବାନ ଜାଣିଲେ । ଅଳ୍ପ ଅଳ୍ପ ଜାଣିଲେ ଝିଅଜୁଆଇଁ । ଧୀର ଆସି ବେଳେ ବେଳେ ମାଆର ଆଖିଲୁହ ପୋଛି ବୁଝାଏ । ଜୋଇଁ ଆସି ଘଡ଼ିଏ ପହଡ଼େ ବସି ଶାଶୁ ସାଙ୍ଗରେ ଦୁଃଖସୁଖ ହୋଇଯାଏ । ଶଶୁରକୁ କିନ୍ତୁ କିଛି କହିପାରେ ନାହିଁ-

 

କେହି ନ ଥିଲାବେଳେ ଠିକାଦାର ବାବୁ ବିଶ୍ୱାସୀ କାମତୁଣୀ ଜଣକ ହାତରେ ସୁରୁବାଲୀକି ବାହାର ଘରକୁ ଡକାଇ ପଠାନ୍ତି । ସୁରୁବାଲୀ ଆସି କବାଟକୁ ଧରି ଠିଆହୁଏ । ମୁହଁ ଶୁଖାଇ କଥା କହେ, ଭିତରକୁ ପଶେ ନାହିଁ । ଘନଶ୍ୟାମବାବୁ କେତେ କଥା ପଚାରନ୍ତି । ଅଳ୍ପ ହସି କଥା କହନ୍ତି; ଆଶା ଭରସା ଦିଅନ୍ତି–କାହିଁକି ତୁ କାନ୍ଦୁଚୁ ସୁରୁବାଲୀ ? ଯୁଆନ ଟୁକେଲ ତୁ, ଦିହରେ ବଳ ଅଛି । ଯାଉ ପୁନିଆ–କାହିଁ ଯିବ । ତୁ ମୋ ଆଡ଼କୁ ଅନା । କୌଣସି କଥାକୁ ତୋର ଅଭାବ ରହିବ ନାହିଁ । ତୁ ଖାଲି ମୋ କଥା ଶୁଣିବୁ, ମୋରି କଥାଟି ମାନିବୁ, ତେବେ ହେଲା । ହେଇଟି ନେ ଆଠଣା ପଇସା । ମନଇଚ୍ଛା ଚକି କିଣି ଖାଆ । ନେଇଯା ଟଙ୍କାଟାଏ । ମନଇଚ୍ଛା ନାଇବୁ, ପିନ୍ଧିବୁ ।

 

ମନଟି ମାରି ସୁରୁବାଲୀ ଠିଆ ହୋଇ ରହେ । ଶେଷକୁ ମୁଣ୍ଡିଆଟି ମାରି କହେ–ମାଆ କହିଯାଇଚି, ତୁମେ ଆଜ୍ଞା, ବାପ ମୋର, ମୁଁ ତୁମର ଝିଅ ।

 

ବିଦାୟ ହୋଇ ଚାଲିଯାଏ । ଘନବାବୁ ତାର ଚଲାବାଟକୁ ଅନାଇ ରହନ୍ତି । ଜଳନ୍ତା ଦୀପଶିଖା ପରି ତାର ଚେହେରା । ହରିଜନ ପିଲା ହେଲେ ବି, ଜଳି ଉଠୁଚି ତାର ଦିହହାତ, ମୁହଁ । ଚେହେରାଟା ଫୁଟନ୍ତା ଫୁଲଭରା ଲତା ପରି; ଯୌବନର ଭରା ଜୁଆର ଭିତରେ ଲହଡ଼ିମାଳା ପରି । ଅଳଙ୍କାର ତାର ନିଜର ରୂପ । ଅଳଙ୍କାର ତା’ର ଲୋଡ଼ା କଅଣ ?

 

ପୁନିଆ କିନ୍ତୁ ତାର ମୂଲ୍ୟ ବୁଝେ ନାହିଁ । ମୋତିମାଳା ଘେନି ମାଙ୍କର କଅ କରିବ ? ଧୀରେ ଧୀରେ ବେଶି ମଦ ଖାଇବାକୁ ସେ ଆରମ୍ଭ କରିଦେଲାଣି । ବୋଇମତୀକୁ ପୁଣି ନିତି ନିତି ମଦ ଯୋଗାଇବାକୁ ପଡ଼ୁଚି । ପଇସା ଅଣ୍ଟୁ ନାହିଁ । ଦିନେ ଦିନେ ଆସି ସୁରୁବାଲୀ ଉପରେ ଜୁଲମ ଆରମ୍ଭ କରିଦେଲାଣି–ହେ ସୁରୁବାଲୀ ଆଜି ମତେ ଆଠଣା ନ ଦେଲେ ଚଳିବ ନାହିଁ । ଆଜି ଟଙ୍କାଟିଏ ଦେଇଥାଆ ।

 

ଆପେ ଉପାସ ଭୋକରେ ରହୁ ପଛକେ ସୁରୁବାଲୀ ତାକୁ ଦିଏ । ନ ଦେଲେ ପୁନିଆ ମାରେ । ଶେଷକୁ ଦିନେ ସୁରୁବାଲୀକି ମାରି ତଳେ ପାଇଦେଇ ଜୋର କରି ତା’ ହାତରୁ ବନ୍ଧୁରିଆ ଦି’ପଟ ଛଡ଼ାଇ ନେଇଗଲା । ଆଉ ଦିନେ କାନରୁ ନୋଳି ଦିପଟି ଛଡ଼ାଇ ନେଇଗଲା । କାଙ୍ଗାଳୁଣୀ ସୁରୁବାଲୀ ମୁଣ୍ଡ କୋଡ଼ି ହୋଇ ଖାଲି କାନ୍ଦିଲା ସିନା, କିଛି କାହାରିକି କହିଲା ନାହିଁ । ତେବେ ବି ପୁନିଆ ଅସିଲେ ଯାହା ଥାଏ, ଭଲ ଖାଇବାକୁ ଦିଏ; ହାତ ଗୋଡ଼ରେ ତାର ହାତ ବୁଲାଇ ସେବା କରେ । ନିଜେ ନ ଖାଇ ଉପାସ ରହି ତାକୁ ଖୁଆଏ । ଦିନଯାକ କଠିନ ପରିଶ୍ରମ କରି ରୋଜଗାର କରି ଆଣେ । ରାନ୍ଧେ ବାଢ଼େ, ଶୁଏ, ବସେ ।

 

ଏଣିକି ଏଣିକି କାହାରି ସାଥିରେ ସେ କଥା ହୁଏ ନାହିଁ । ମନଟିକି ମାରିଦେଇ ବସି ଭାବି ହେଉଥାଏ–କଅଣ କରିବ; କିନ୍ତୁ କିଛି କୂଳ କିନାରା ପାଏ ନାହିଁ । କିଏ କେତେ ବୁଝାଏ କହନ୍ତି–କିଗୋ ସୁରୁବାଲୀ, କୁଆଡ଼େ ଚାଲିଯାଇ ଆପଣା ପେଟ ପୋଷୁ ନାହୁଁ କାହିଁକି ? ଏଠି କିଆଁ ପଡ଼ି ରହିଚୁ, କୋଉ ସୁଖ ପାଇଁ ?

 

ଠଣାରେ ଥିବା ପୁନିଆର ମଦବୋତଲଟା ଆଡ଼କୁ ଅନାଇ ସୁରୁବାଲୀ ଆଖିରୁ ଲୁହ ଢାଳି କେବଳ ଭାବେ–ଏଇ ମଦ ମୋର ସବୁ ସୁଖ ଶରଧାକୁ ପୋଡ଼ିଦେଲା ସିନା ! ନୋହିଲେ ଗେରସ୍ତ ମୋର କଅଣ ନିପାରିଲା ଲୋକ ?

 

(୬)

 

ମଦଭାଟି ପାଖରେ ସେଦିନ ମୁହଁ ଶୁଖାଇ ପୁନିଆ ପହଡ଼େ କାଳ ବସି ରହିଲା ପରେ ରାମ ରାମ ଭଗତକୁ କହିଲା–ଆଜ୍ଞା, ଆଜି ମୋ ପାଖରେ ପଇସା ନାହିଁ । ଉଧାର ଦେଇଥାଅ । କାମ କଲେ ସୁଝିଦେବି ।

 

ରାମ ରାମ–ଇରେ ପୁନିଆ, ତୋ’ ଉପରେ ବାକୀ ରହିଲାଣି କୋଡ଼ିଏ ଟଙ୍କା । ତୁ ଏକ କାମ କର । ଖଣ୍ଡେ କାଗଜରେ ତୋ ଡିହବାଡ଼ି ବନ୍ଧା ଦେଇପକା । ମୁଁ ତତେ ଆଉ କୋଡ଼ିଏ ଟଙ୍କା ତକ ମଦ ଦେବି । ତୋ ଘରବାଡ଼ି ନେଇ ମୁଁ ବା କରିବି କଅଣ ? ଖାଲି ତୋରି ଗୋଟାଏ ମନରେ ଦହସତ୍‌ ଥିଲେ ତୁ କବାର କରି ସୁଝିଦବୁ, ଏତିକି କଥା ।

 

ନିଶାବେଳ ଗଡ଼ିଯାଉଥାଏ । ଆଗପଛ ବିଚାରିବାକୁ ତର କାହିଁ ? ପୁନିଆ ଗୁମାସ୍ତା ପାଖରେ କଅଣ ଗୋଟାଏ ଲେଖାକାଗଜରେ ଟିପ ଦେଇ ସନ୍ତକ କାଟିଦେଲା । ବିକାଳୀକି ଭଗତେ ହୁକୁମ ଦେଲେ–ଦେ’ରେ, ପୁନିଆକୁ ଆଉ କୋଡ଼ିଏ ଟଙ୍କା ଯାକେ, ସେ କାମ କଲେ ଟଙ୍କା ମୋର ସୁଝିଦେବ ଯେ । ହେଇଟି ପୁନିଆ, ଏ କାଗଜ ଖଣ୍ଡକ ମୋ ପାଖରେ ରହିଲା । ଯେଉଁଦିନ ଟଙ୍କା କେଇଟା ଦେଇଯିବୁ, ସେଇଦିନ ତୋ’ରି ଆଗରେ ଚିରି ପକାଇଦେବି ଯେ ।

 

ମଦ ପିଉ ପିଉ ପୁନିଆ କହିଲା–ଆଜ୍ଞା ହଉ । ମୋର କଅଣ ଆଜ୍ଞାଙ୍କ ପାଖରେ ଅବିଶ୍ୱାସ ଅଛି ?

 

ଏ ଲେଖାପଢ଼ିର ଖବର ପାଇଲା ନାହିଁ ସୁରୁବାଲୀ । ଏ ଘରଟାକୁ ଯିଏ ଗଢ଼ିବ ବୋଲି କହିଲେ ଚଳେ, ସେ ଏଥିରେ କେହି ନୁହେଁ !

 

ବୋଇମତୀ କହିଲା–ହେଇଟି, ମୋର ଏ ଘର ପଡ଼ିଚି କାହା ପାଇଁ ? ତୁମେ ରହିବ ଆଉ ମୁଁ ରହିବି । ସୁରୁବାଲୀ, ସୁରୁବାଲୀ ବୋଲି ଏତେ ହଉଚ ଯେ, ଦିନେ ଦେଖେଇଦେବି ସେ କଅଣ ।

 

ମଦ ପିଉ ପିଉ ପୁନିଆ ଚମକିଉଠି ପଚାରିଲା–କଅଣ କହିଲୁ ବୋଇମତୀ ? ବୋଇମତୀ କହିଲା–ଦିନେ ତୁମର ଏଇ ଆଖି ଦି’ଟାରେ ଦେଖେଇଦେଲେ ଯାଇ ମନ ମାନିବ, ଖାଲି କଥାରେ ହବ ନାହିଁ ।

 

ଏ କଥାରେ ମାସକ ପରେ । ସେଦିନ କାମ କରୁ କରୁ ଜରରେ କମ୍ପିଉଠିଲା ସୁରୁବାଲୀ-। ଘରକୁ ଫେରି ଶୋଇପଡ଼ିଲା । ସଞ୍ଜ ହେଲା ରାତି ହେଲା, ଉଠି ପାରିଲା ନାହିଁ । ଏ ଖବର ପାଇଲା ଧୀରା । ରାତି ଘଡ଼ିକ ସରିକି ନବୀନା ଆସିଲା ଶାଶୁକୁ ଦେଖିବାକୁ । ଆଉଜା କବାଟକୁ ଆଡ଼େଇ ଭିତରକୁ ପଶିଲା । ଡିବିରିଟାଏ ଜାଳିଲା । ମିଞ୍ଜି, ମିଞ୍ଜି ଆଲୁଅ । ସୁରୁବାଲୀ ଜରରେ କମ୍ପୁଛି । ବିଛଣା ଉପରେ ପଡ଼ି କାନ୍ଦୁଚି ସେ । କେତେ ଆଡ଼ୁ କେତେ କଥା ମନରେ ପଡ଼ୁଛି-। ନବୀନା ଯାଇ ବିଛଣା ଉପରେ ବସିଲା । ଶାଶୁର ମୁଣ୍ଡ ଉପରେ ହାତ ଥୋଇ ବୁଝାଇଲା । ଶୀତ ହେଲାରୁ ବାଉଁଶ ତାଟିଟି ଆଉଜେଇଦେଲା । ସୁରୁବାଲୀର ଓଦା ଆଖି ଦୋ’ଟି ତା’ରି ପଣତରେ ପୋଛି ଦେଉଥାଏ ଏବଂ ବୁଝାଉଥାଏ । ଷୋଳ ବର୍ଷର ପିଲା । ସୁରୁବାଲୀ । ନବୀନାର ସ୍ନେହ-ସ୍ପର୍ଶ ପାଇ କଇଁ କଇଁ ହୋଇ କାନ୍ଦିଉଠିଲା । ସେ କି ଜାଣେ ଶାଶୁଜୋଇଁ ସମ୍ପର୍କ ? ନବୀନକୁ ବୟସ ଖୁବ୍‌ କମ୍‌ରେ ଅଠେଇଶ କି ତିରିଶ ବର୍ଷ ।

 

ସୁରୁବାଲୀର ମୁଣ୍ଡଟିକି ଆପଣା କୋଳ ଉପରକୁ ଟେକି ଆଣି ସେ ପ୍ରାଣପଣେ ଚେଷ୍ଟା କଲା ତାକୁ ବୁଝାଇବାକୁ–ତା’ ମୁହଁ ଉପରେ ହାତ ବୁଲାଇ, ତାରି ମୁହଁ ଉପରକୁ ଅଳ୍ପ ଢଳିପଡ଼ି ।

 

ମୁନୁଗା ଗଛର ଘନ ଛାଇ ତଳୁ କିଏ ଫୁସ୍‌ଫାସ୍‌ ହୋଇ ପୁନିଆର କାନ ପାଖରେ କହିଲା-ହେଇଟି ଦେଖ, କବାଟ ଫାଙ୍କା ବାଟେ ଅନା ତୋ ଜୋଇଁ ନବୀନା ଆଉ ତୋ ସତୀ ସୁରୁବାଲୀ । ପେମ ଚାଲିଛି ।

 

କହିଲା ଯିଏ, ସେ ବୋଇମତୀ । ତାର ଉଦ୍ଦେଶ୍ୟ ସୁରୁବାଲୀ ଠାରୁ ସେ ପୁନିଆକୁ ନେଇ ଘର କରୁ । ମନ୍ତ୍ରଟି କାନ ପାଖରେ ଫୁଙ୍କି ଦେଇ ବୋଇମତୀ ଏକା ଏକା ଆପଣା ଘରକୁ ପଳାଇଲା । ପୁନିଆର ଗୋଡ଼ଠଉଁ ମୁଣ୍ଡଯାକେ ନିଆଁ ଜଳିଉଠିଲା । ନିଶାଭୋଳ ମନ ଭିତରେ ଯେଉଁ ଭାବନାଟା ଜମିଲା, ତାର ବିରୁଦ୍ଧରେ କୌଣସି ଯୁକ୍ତି ଛିଡ଼ା ହୋଇପାରିଲା ନାହିଁ । ଭୂତ ପରି ସେ ଧାଇଁଗଲା । ପିଣ୍ଡା ତଳେ ପଡ଼ିଥିଲା ଗୋଟାଏ ମୂଳି ବାଉଁଶର ଠେଙ୍ଗା । ଧଡ଼୍‌କିନା ବାଉଁଶ କବାଟକୁ ଠେଲି ଭିତରକୁ ସେ ପଶିଯାଇ ନବୀନାର ତାଳୁ ଉପରେ ପକାଇଲା ପାହାରେ । ଛଟଛଟ ହୋଇ ନବୀନା ସେଇଠି ପଡ଼ି ଗଡ଼ିଲା । ପାଣି ପରି ରକ୍ତଧାର ଛୁଟିଲା । ପାହାର ମାରି ସାରି ପୁନିଆ ବି ନିଜେ ବେହୋସ ହୋଇ ସେଇଠାରେ ପଡ଼ିଗଲା ।

 

ହା’ ହା’ କଅଣ ହେଲା ବୋଲି ସୁରୁବାଲୀ ଜର ବାଉଳାରେ ଉଠିପଡ଼ି ବାହାରକୁ ଧାଇଁ ଆସି ଡାକ ବୋବାଳି ଛାଡ଼ିଲା–ଧାଇଁ ଆସ ହୋ, ଧାଇଁ ପଡ଼ ।

 

ଗଣ୍ଡାପଡ଼ାରେ ମଦ ପିଇ ଆସି ଘରେ ନିତି ଏମିତି ଅଳ୍ପେ ବହୁତେ ବାଡ଼ିଆପିଟା ଓ ପାଟିତୁଣ୍ଡ ହୁଏ । ମାତ୍ର ସୁରୁବାଲୀର ପାଟି କେହି କେବେ ଶୁଣି ନାହିଁ । ସେଦିନ ଠିକାଦାରଙ୍କ ଘରୁ ମଣିଷ ଉଠିଆସି ଦେଖିଲେ ଘରଯାକ ନହୁ ଭାସୁଚି । ନବୀନା ଛଟ ଛଟ ହେଉଚି । ସୁରୁବାଲୀ ସବୁ ହାଲ କାନ୍ଦି କାନ୍ଦି କହି ପକାଇଲା । ରାତି ପାହିଲାବେଳକୁ ଘର ଚଉକତି ନାଲିପଗଡ଼ିଆ ଭିଡ଼ିଗଲେ-। ଦେଖିଲେ ନବୀନା ମରି ପଡ଼ିଚି । ଧୀରା ଆସି ମୁଣ୍ଡ କୋଡ଼ଇ ହୋଇ କାନ୍ଦୁଚି । ପୁନିଆ କହୁଚି–ମୁଇଁ ମାରିଚି–ସୁରୁବାଲୀ କାଠ ପରି ଠିଆ ହୋଇ ରହିଚି ।

 

ଲାସ ଚାଲାଣ ହେଲା । ପୁନିଆକୁ ହାତକଡ଼ି ପକାଇ ନେଇଗଲେ ହାଜତଖାନାକୁ । କାନ୍ଦି କାନ୍ଦି ଧୀରା ଲାସ ପଛେ ପଛେ ଧାଇଁଲା । ସୁରୁବାଲୀ କିନ୍ତୁ ଧାଇଁଲା ଠିକାଦାର ବାବୁଙ୍କ ପାଖକୁ । ସେ କହିଲେ–ମୁଁ ଏଥିରେ କଅଣ କରିବି ? ଇଏତ ମଣିଷମାରୁ ମାମଲା–ପୁନିଆକୁ ଫାଶୀ ହବ କି କଳାପାଣି ହବ !

 

ତା’ ପରେ ସୁରୁବାଲୀ ଯାଇ କାନ୍ଦି ଗଡ଼ିଲା କାଶୀ ବିଭାର ବାବୁଙ୍କ ଦୁଆରେ । ଏ ବାବୁ ଜାତିରେ ଗଣ୍ଡା । ଇଏ ବର୍ତ୍ତମାନ ମନ୍ତ୍ରୀସଭାର ଜଣେ ମେମ୍ବର । ସୁରୁବାଲୀର ଭାରୀ ଆଶା ଜାତିପୁଅ ଆଜିକାଲିକା ସରକାରରେ ଅଛନ୍ତି । କିଛି ହେଲେ କରିବେ । କିନ୍ତୁ ସେ ବାବୁ ମେମ୍ବର ହୋଇଛନ୍ତି ସ୍ୱାର୍ଥପାଇଁ, ଜାତି ପାଇଁ ତ ନୁହେଁ ! ଅନୁନ୍ନତ ଜାତିର ଲୋକ ବୋଲି ତାଙ୍କୁ ନିଆଯାଇଚି । ଅନୁନ୍ନତ ଜାତିର ଲୋକଙ୍କ ମୁଣ୍ଡ ଉପରେ ଚଢ଼ି ସେ ଉପରକୁ ଉଠିଚନ୍ତି । ତାଙ୍କୁ ଲୋକେ ବାବୁ ବାବୁ କହୁଚନ୍ତି ! ସେତିକି ତାଙ୍କର ଯଥେଷ୍ଟ । କଣ୍ଟ୍ରୋଲ ହାକିମ ତାଙ୍କଠାରୁ ଚିରିକୁଟ୍‌ ପାଇଲେ ଚିନି କିରାସିନି ପରମିଟ୍‌ କାଟି ଦଉଚନ୍ତି, ଏତିକି ଢେର । ସେ ନିଜେ ମେମ୍ବର ହିସାବରେ ମାସକୁ ଦରମା ପାଉଚନ୍ତି, ଗସ୍ତଖର୍ଚ୍ଚା ପାଉଚନ୍ତି । ପୁଣି ପୁଅ ନାଆଁରେ ସରକାରରୁ ଏବଂ ଜିଲ୍ଲାବୋର୍ଡ଼ରୁ ଠିକାଦାର କାମ ପାଉଚନ୍ତି–ସେତିକିରେ ସେ କୃତାର୍ଥ । ସେ ଏ ତ ସରକାରର ପକେଇଲା ଛେପକୁ ଚାଟି ଚାଟି କୋଠା କଲେ, ନାଆଁ କଲେ, ଟଙ୍କାକଉଡ଼ି ଜମା କଲେ- ଆଉ କଅଣ ହେବ ତାଙ୍କର ଅଧିକା ?

 

ସୁରୁବାଲୀ କହିଲା–ଦେଖ, ତମେ ଆମ କଥା ନ ବୁଝିଲେ କିଏ ବୁଝିବ ? ସେ ତ ଜୋଇଁଙ୍କି ମାରି ନାହାନ୍ତି, ମାରିଚି ତାଙ୍କର ମଦନିଶା । ସେ କଅଣ ଖରାପ ଲୋକ ? ମଦ ସିନା ତାଙ୍କୁ ଏମିତିଆ କରିଦେଲା ! ମଦଦୋକାନ ଫିଟେଇଚି କିଏ ? ତମେ ଟିକେ ଦୟା କର । ତମ ସରକାରଙ୍କୁ ବୁଝାଅ । ଏଙ୍କର କିଛି ଦୋଷ ନାହିଁ । ଅଜ୍ଞାନ ହୋଇ ସେ ସିନା ଏ କଥା କଲେ । ତାଙ୍କୁ ପୁଣି ଅଜ୍ଞାନ କଲା କିଏ ? ତୁମେ ତାଙ୍କୁ ମୁକୁଳାଇ ଆଣ । ମଦଭାଟି ଉଠାଅ । ସମସ୍ତେ ଆମେ ଭଲ ହେଇଯିବା ।

 

କିନ୍ତୁ ହସି ଉଠିଲେ ବିଭାରବାବୁ । କାଶୀନାଥ ତାଙ୍କର ନାମ । ନୂଆ ଜାତୀୟ ସରକାର ଭିତରେ ସେ ଜଣେ କର୍ତ୍ତା । ଇଂରେଜ ସରକାର ବିଦାୟ ନେଇଛନ୍ତି ସିନା, ତାଙ୍କ ଭୂତ ଏ ଦେଶକୁ ଏବେ ବି ଛାଡ଼ି ନାହିଁ । ତାଙ୍କର ରାଜୁତି ଠିକ୍‌ ସେମିତି ଚାଲିଚି । ମଦଭାଟି ସେମିତି ଅଛି–ଲୋକଙ୍କୁ ଧ୍ୱଂସ କରିବା ଲାଗି, ଲୋକଙ୍କୁ ଅମଣିଷ କରିବା ଲାଗି । ପୁଣି ଲୋକ ମଦ ପିଇ ଅଜ୍ଞାନ ଅବସ୍ଥାରେ ଭୁଲ କଲେ ତାଙ୍କୁ ଧରି ଜେଲଖାନାକୁ ନେବା ଲାଗି ଅଛନ୍ତି ପୋଲିସ । ଲୋକେ କେମିତି ମଦ ନ ଖାଆନ୍ତୁ, ସେ ବ୍ୟବସ୍ଥା କରିବା ଲାଗି ତ ପୋଲିସର ଚାକିରି ନୁହଁ ! ଚାଲିଚି ଆଜିଯାକେ ସେଇ ମଣିଷମରା କଳ । ଠିକ୍‌ ସେମିତି, ପୂର୍ବପରି । ଖାଲି ସରକାର ବଦଳିଚି । କଳ ବଦଳି ନାହିଁ । ବିଦେଶୀ ସାହାବ ବଦଳରେ ଖାଲି ଦେଶୀ ସାହାବ ରାଜା ହୋଇଚନ୍ତି ।

 

ହତାଶ ହୋଇ ସୁରୁବାଲୀ ଘରକୁ ଫେରି ମୁଣ୍ଡ କୋଡ଼ି ହେଲା ମାତ୍ର । ସରକାରୀ ମକଦ୍ଦମା କିଛିଦିନ ଚାଲିଲା ପରେ ପୁନିଆକୁ ଛଅ ବର୍ଷ କାରାଦଣ୍ଡ ହୁକୁମ ହେଲା । କଟକ ଜେଲକୁ ନିଆଗଲା ତାକୁ । ହାତରେ, ଗୋଡ଼ରେ ଲୁହାର କଡ଼ି । ମେଘନାଦ ପାଚେରି, ଆଉ ଲୁହାର କବାଟ ଭିତରେ ବନ୍ଦୀ ସେ, କଇଦୀ ।

 

(୭)

 

ତେବେ ବି ରାମ ରାମ ଭଗତଙ୍କ ମଦଭାଟି ପାଖରେ ଭାରି ଭିଡ଼ ।

 

ଅନଳ ଦେଖିଲେ ପତଙ୍ଗ

ଯେହ୍ନେ ଧାବନ୍ତି ଉଦବେଗ ।

 

ଏ ଦେଶର ସରକାର ଠିକ୍‌ ଇଂରେଜ ସରକାର ପରି ଭାବୁଚି–ଲୋକେ ମଦ ପିଇ ଧ୍ୱଂସ ହୁଅନ୍ତୁ । ଯେ କେତେ ଜଣ ବୁଦ୍ଧିଆ ଥିବେ ସେଇମାନେ ବଞ୍ଚି ରହି, ସଞ୍ଚି ଥୋଇ ଉଡ଼ାଜାହାଜରେ ଚଢ଼ି ଉଡ଼ି ବୁଲିବେ ।

 

ନବୀନା ମଲା ବିନା ଦୋଷରେ । ଧୀରା ବିନା ଅପରାଧରେ ପେଟ ଭିତରେ ପାଞ୍ଚ ମାସର ଭ୍ରୂଣଧରି ଦେଶାନ୍ତରୀ ହୋଇଗଲା । ଘରଡ଼ିହ ଖଣ୍ଡିକ ଆଗରୁ ବନ୍ଧା ପଡ଼ିଥିଲା; ରାମରାମ ଭଗତ ଦଖଲ କଲା । ସୁରୁବାଲୀ ନ ଖାଇ ନ ପିଇ ଶୁଖି ଶୁଖି କେତେ ଦିନ ବିଛଣାରେ ମୁହଁମାଡ଼ି ପଡ଼ିରହିଲା । କିଛିଦିନ ପରେ ଶୁଣିଲା–ଦାଣ୍ଡଦୁଆରେ ଡେଙ୍ଗୁରା ପିଟି ରାମ ରାମ ଭଗତଙ୍କ ଲୋକେ କହୁଚନ୍ତି-ବାହାରି ଯାଆ ଘରୁ । ଏ ଘର ଭଗତବାବୁ ଦଖଲ ନେଲେ । ତାଙ୍କ ପାଖରେ ବନ୍ଧା ଥିଲା ।

 

ପ୍ରତିରୋଧ କରିବା କଥା ତେଣିକି ଥାଉ, ପଦେ କଥା କହିବାକୁ କେହି ନାହିଁ । ନିରୀହ, ଅନୁନ୍ନତ, ଅଜ୍ଞ ଗଣ୍ଡବାଳା । କନାପୁଟୁଳା ପୁଡ଼ିଟି ଧରି ହତାଶ ଭାବେ ଘରୁ ବାହାରି ଆସିଲା । ଏକମାତ୍ର ଆଶ୍ରୟସ୍ଥଳ ଠିକାଦାର ବାବୁଙ୍କ ଦୁଆରେ ଠିଆ ହେଲା । ଘନବାବୁ ଦୟା ଦେଖାଇ ହତା ଭିତରେ ଥିବା ଖଣ୍ଡେ କଣବାଡ଼ିଆ ଟୁଙ୍ଗିଘର ଦେଖାଇ କହିଲେ–ସବୁତ ତୋର ହୋଇଗଲା ସୁରୁବାଲୀ, ଏଥର କୁଆଡ଼ିକି ମନ ନ ବୁଲାଇ ସେଇ ଘରେ ପଡ଼ିଥା । ମୂଲପାତି ଲାଗି ପେଟ ପୋଷ । ତେଣିକି ଦେଖାଯିବ । ଟୁଙ୍ଗି ଭିତରକୁ ପଶି ସୁରୁବାଲୀ ଦୀର୍ଘ ନିଃଶ୍ୱାସ ପକାଇ ଭାବିଲା–ଇଆପରେ ବିଧାତାର ଆଉରି କଅଣ ବରାଦ ଅଛି, ସେଇ ଏକା ଜାଣେ ।

 

ମାସେ ଗଲା । ଦି’ ମାସ ଗଲା । ସୁରୁବାଲୀ ସବୁ ଭୁଲି କାମଧନ୍ଦାରେ ମନ ଦେଲା । କିନ୍ତୁ ଦିନକୁ ଦିନ ସେ ଅନୁମାନ କଲା ସତେ କି କାହାର ଗୋଟାଏ ଭୂତ-ନଜର ତାଆରି ଚାରିପଟେ ଘୂରି ଘୂରି ବୁଲୁଚି । ପାଖେ ପାଖେ ଛୁଇଁଲି ଛୁଇଁଲି ହେଉଚି; କିନ୍ତୁ ଛୁଇଁବାର ସୁବିଧା ପାଉ ନାହିଁ ।

 

ଘନଶ୍ୟାମ ବାବୁଙ୍କର ତା’ ପ୍ରତି ଭାରି ଦୟାମାୟା । ଘରେ କିଛି ଟିକେ ଭଲମନ୍ଦ ହେଲେ-‘‘ସୁରୁବାଲୀକି ଦେଇଆସ’’ । କାମ ଭିଡ଼ ପଡ଼ିଲେ କହନ୍ତି–ସୁରୁବାଲୀଟା ବସିପଡ଼ୁ । ଦୁଃଖୀ ଲୋକ, ସେ ପାରିବ ନାହିଁ ।

 

ଠିକାଦାର ବାବୁଙ୍କ ଇଚ୍ଛା–ସେ ପେନସନ୍‌ ନେଇ ବସିରହୁ ।

 

କିନ୍ତୁ ସୁରୁବାଲୀ ତା’ ଚାହେଁ ନାହିଁ ।

 

ଠିକାଦାରଙ୍କ ଗୃହିଣୀ ଏଠି ନାହାନ୍ତି । ସେ ଥାଆନ୍ତି ଗାଆଁରେ । ବୟସ ହେଲେ ବି ପଇସା ଅଛି । ପଇସା ଥିଲେ ସୁଖସମ୍ଭୋଗର ଇଚ୍ଛା ପ୍ରବଳ ଥାଏ । ସୁରୁବାଲୀ ଯେ ଦେବତା ତାଆ ବି ନୁହେଁ ବୋଲି ତାଙ୍କର ଧାରଣା । ରକ୍ତମାଂସର ଶରୀର ଆଉ ଜୁଆନ ବୟସ । କିନ୍ତୁ ଦୁଃଖର ତାଡ଼ନାରେ ମନଟା ମରି ମରି ଯାଉଚି । ମା’ କହି ଯାଇଚି–ଠିକାଦାର ବାବୁ ତୋର ପିତୃ ସମାନ ।

 

ସେଦିନ ରାତିଟା ଘୋର ଅନ୍ଧାର । ସଞ୍ଜବେଳୁ ଖାଇ ପିଇ ସୁରୁବାଲୀ ନିଦରେ ଶୋଇପଡ଼ିଚି । ରାତି ସେତେବେଳେକୁ ଦୁଇ ପ୍ରହର ଉପର । ଚାରିଆଡ଼େ ଶୂନଶାନ, ନିଶବ୍ଦ । ଟୁଙ୍ଗିଘର କବାଟର ଭିତର ପଟେ ଲାଗିଥିବା ଜଞ୍ଜିରକୁ କବାଟର ଉପର ବନ୍ଧ ଫାଙ୍କ ବାଟେ ହାତଗଳାଇ ଫିଟାଇ ଭିତରକୁ କିଏ ଜଣେ ଧୀରେ ଧୀରେ ପଶିଆସି ସୁରୁବାଲୀର ଚଟେଇ ଉପରେ ବସିପଡ଼ିଲା । ହାତରେ ଟର୍ଚ୍ଚ ଆଲୁଅ । ଧୀରେ ଧୀରେ ସୁରୁବାଲୀର ଛାତି ଉପରେ ହାତ ଥୋଇଲା-। ସ୍ୱପ୍ନବିଭୋଳା ଅସହାୟା ବାଳିକାଟିର ହଠାତ୍‌ ନିଦ ଭାଜିଗଲା । ସେ ସଙ୍କୁଚିତ ହୋଇ ଉଠିବସି ଭୟରେ ଜଢ଼ସଡ଼ ହୋଇ ପଚାରିଲା–କିଏ ?

 

ଛାତି ଉପରୁ ହାତଟାକୁ ଠେଲି ପେଲିଦେଲା ।

ମୁଇଁ ଆସିଚି, ସୁରବାଲି, ପାଟି କରନା ।

 

ସୁରୁବାଲି ଆଡ଼କୁ ଆହୁରି ଘୁଞ୍ଚିଯାଇ ତା’ ମୁହଁ ଉପରକୁ ଟର୍ଚ୍ଚ ଆଲୁଅ ପକାଇ ଦେଲା ସେ ଲୋକ । କହିଲା–ବଡ଼ ସୁନ୍ଦର ଦିଶୁଚିଲୋ ତୋ ମୁହଁଟା !

 

କିନ୍ତୁ ଭୟରେ କମ୍ପିଉଠିଲା ସୁରୁବାଲୀ । ବିଛଣା ଛାଡ଼ି କୁଦା ମାରି ଉଠି ଘର କଣକୁ ଠିଆହୋଇପଡ଼ି ସୁରୁବାଲୀ କହିଉଠିଲା–ଛି, ବୁଆ, ତୁମେ ପରା ବାପ ! ଆଉ ମୁଁ ପରା ତମ ଝିଅ ! ତମେ ମତେ ପାଳିଚ ! ବାଡ଼ କ୍ଷେତ ଖାଇଲେ ରକ୍ଷା କରିବ କିଏ ? ତମେ ପରା ଆଜ୍ଞା, ବେଦୀ ଉପରେ ମୁଦି ବନ୍ଦାଣ ଦେଇ ମତେ କଇଲାଣ କରିଥିଲ ? ଜୋଇଁ କଅଣ ଜିଅଲରୁ ଫେରିବାଯାକେ ମୁଁ ଠିକ୍‌ ହୋଇ ରହିପାରିବି ନାହିଁ ?

 

ପାଖକୁ ଉଠିଯାଇ ଠିକାଦାରବାବୁ ଠିଆ ହୋଇ ସୁରୁବାଲୀର ହାତଟାକୁ ଧରିପକାଇ କହିଲେ–ସେ ସବୁ କଥା ମତେ କହନା ସୁରୁବାଲୀ । ମୁଁ ତତେ ଅନେକଦିନୁ ଆଶା କରିଚି । ତୁ ଭାରୀ ସୁନ୍ଦର ।

 

ଝିଅ ସୁନ୍ଦର ହେଲେ, ବାପର କି ଯାଏ ଆଜ୍ଞା ? ଝିଅ ଉପରେ ବାପର କି ଆଶା ? ଆପଣ ବଡ଼ଲୋକ । ଆମେ ଗରିବ । ତା’ ବୋଲି କଅଣ ଆମର ଇଜ୍ଜତ ମହତ କିଛି ନାହିଁ ? ମୁଁ ତୁମର ପାଦ ଧରୁଚି, ଗୋଡ଼ ତଳେ ପଡ଼ୁଚି, ତୁମେ ଯାଅ । ତୁମକୁ କେତେ କେତେ ବଡ଼ଘରର ଝିଅ ମିଳିବେ । ମୋ ପରା ଗଣ୍ଡା ପିଲାଟାକୁ ତୁମର ଏତେ ଆଶା କିଆଁ ? ଛିଃ ବୁଆ, ପାପ ହବ । ଆମେ ହେଲୁଁ ସଂସାର ଭିତରେ ଗୁହଲୁଣ୍ଡା ବକଟକମାନ । ଆମ ଆଡ଼କୁ ତୁମ ପରା ଲୋକ ନଜର ପକାଇବା ଛିଃ !

 

ଘନଶ୍ୟାମବାବୁ ଚମକି ପଡ଼ି ସଙ୍ଗେ ସଙ୍ଗେ ସୁରୁବାଲୀର ହାତଟିକୁ ଧରି କହିଲେ–ସୁରୁବାଲୀ, ଏତେବେଳେ ତୁ ମତେ ଧର୍ମ କଥାଟା ବତାନା । ମୋ କଥା ରଖ । ପାପପୁଣ୍ୟ ମୋର ।

 

ହାତ ଛଡ଼ାଇ ନେଇ ଗୋଡ଼ତଳେ ମୁଣ୍ଡିଆ ମାରି ସୁରୁବାଲୀ କହିଲା–ବୁଆ, ମୁଁ ତମର ଝିଅ ପରା ! ତୁମ ମେନକା କଥା ମନେପକାଅ । କେଡ଼ୁଟିଏ ହବଣି ? କେଡ଼େ ସୁନ୍ଦର ?

 

ଦୁମ୍‌ ଦୁମ୍‌ ପଡ଼ୁଚି ଉଠୁଚି ଘନବାବୁଙ୍କ ଛାତି । ମେନକା ତାଙ୍କରି ଝିଅ । ବୟସରେ ସୁରୁବାଲୀର ସମାନ ହେବ । କାନ୍ଥକୁ ସେ ଆଉଜି ପଡ଼ି ଛିଡ଼ା ହୋଇଗଲେ । ସୁରୁବାଲୀକି ରାଗରେ ଗୋଇଠାଟାଏ ମାଇଲେ । କହିଲେ–ଯା’ ଭାଗ, ମୋ ସାମନାରୁ । ମତେ ପାଗଳ କରିଦେଲୁଣି । ଯା’ ପଳା ଏ ଥାନ ଛାଡ଼ି । ତୁ ଏଠି ଥିଲେ ମୁଁ ବାଇଆ ହୋଇଯିବି–ପୂରାପୂରି ।

 

ସୁରୁବାଲୀ ଉଠିଲା । କହିଲା–ହଁ ବୁଆ, ହଁ ଆଜ୍ଞା ଠିକ୍‌ କହିଚ । ମୁଁ ପୋଡ଼ାକପାଳୀ, ହୀନିକପାଳୀ, ଜୋଇଁକି ଖାଇଲି, ଝିଅକୁ ଦେଶାନ୍ତରୀ କଲି; ସ୍ୱାମୀକି ଜିଅଲ ଖଟାଇଲି । ତେବେ ବି ମୋର ଏ ପୋଡ଼ା ଜୀବନ ପୋଡ଼ିଯାଉ ନାହିଁ । ତୁମେ ଦେବତା ପରି ମତେ ଆଶ୍ରା ଦେଲ । ତୁମକୁ ବି ଶେଷ କରିବାକୁ ବସିଚି ମୁଁ । ମୁଁ ଯାଉଚି ବୁଆ, ତୁମ ଆଖି ଆଗରୁ ପଳାଇ ଯାଉଚି ।

 

ଏତିକି କହି ଏକକାନିକିଆ ହୋଇ ସୁରୁବାଲୀ ଘରୁ ବାହାରିଗଲା । ଅନ୍ଧକାର ଭିତରେ କୁଆଡ଼େ କେଜାଣି ଉଭାନ ହୋଇଗଲା ।

 

ଘଡ଼ିକେ ଚେତା ପଶିଲାରୁ ବାହାରକୁ ଆସି ଘନବାବୁ ଡାକ ଛାଡ଼ିଲେ–ସୁରୁବାଲୀ, ହେ ସୁରୁବାଲୀ ।

 

କିନ୍ତୁ କାହାରି କିଛି ଜବାବ ଆସିଲା ନାହିଁ !

 

(୮)

 

ବଣ ଜଙ୍ଗଲ ଭିତରେ ଏକୁଟିଆ ଦି’ଦିନ ଚାଲିଲା ପରେ ସୁରୁବାଲୀ ଦେଖିଲା–କେତେଗୁଡ଼ିଏ ପୁରୁଷ ସ୍ତ୍ରୀ ପୁରୀଯାତ୍ରୀ ଚାଲିଚନ୍ତି । ଅଖିଆ ଅପିଆ, ଅଗାଧୁଆ ଅପାଧୁଆ ଚାଲି ଚାଲି ହାଲିଆ ହୋଇ ପଡ଼ିଥାଏ ସୁରୁବାଲୀ । ଦିହ କଳାକାଠ ପଡ଼ିଯାଇଥାଏ । ବାଳ ଫର ଫର ଉଡ଼ୁଥାଏ । ବାଟୋଇମାନେ ଭାବିଲେ ଦରପାଗଳୀଟାଏ । ଖାଇବାକୁ ଦେଲାରୁ ଖାଇଲା । ପଚାରିଲାରୁ ସବୁ ଦୁଃଖର କଥା କହିଲା । କହିଲା–ମୁଁ କଟକ ଯିବି । ମୋ ବରକୁ ଦେଖିବି । ମତେ ସାଙ୍ଗରେ ନିଅ ।

 

ସେମାନେ ଦୟା କରି ସଙ୍ଗରେ ନେଲେ । ନିଜ ପାଖରୁ ତାକୁ କିଛି କିଛି ଖାଇବାକୁ ଯାଚିଲେ । ସେ କିନ୍ତୁ ପ୍ରାୟ କିଛିମାତ୍ର ତାଙ୍କଠାରୁ ଗ୍ରହଣ କରେ ନାହିଁ । ଅଧା ଭୋକ, ଅଧା ଓପାସରେ ଶୁଖି ଝାଉଁଳି, କଣ୍ଟା ସାର ହୋଇ ଶେଷରେ ବାୟାଣୀ ହୋଇ କଟକର ବଡ଼ ଜେଲଖାନାର ଫାଟକ ଦୁଆରେ ଯାଇଁ ପଡ଼ିଲା–ବାଟ ପିଲାଏ ବାୟାଣୀ ବୋଲି ତା’ ଉପରକୁ ଟେକା ବୋଲୁଅ ପକାନ୍ତି–ଥଟ୍ଟା କରନ୍ତି । ସେ କାହାରିକି କିଛି କହେ ନାହିଁ । କେବଳ ମନକୁ ମନ ଗୁଣୁ ଗୁଣୁ ହେଉଥାଏ ମାତ୍ର ।

 

ଶେଷକୁ ଜେଲଖାନା ଦୁଆରେ ଖାଲି କାନ୍ଦି କାଟି ଗଡ଼ିଲା । ମୋ ଗିରସ୍ତକୁ ଦେଖାଅ ଟିକେ–ମୁଁ ଦେଖିବି । ତୁମେ ସବୁ ତାକୁ ଇଆ ଭିତରେ ପୂରାଇ ଲୁଚେଇଚ । ସେ କାହାରିକି ମାରି ନାହିଁ ।

 

ଅଖିଆ ଅପିଆ ରାସ୍ତା ଉପରେ କିଛିଦିନ ପଡ଼ି ରହିଲା । ଜେଲ ସୁପରିଟେଣ୍ଡେଣ୍ଟ ଶୁଣିଲେ । ମାଜିଷ୍ଟ୍ରେଟଙ୍କ କାନକୁ କଥା ଗଲା । ହୁକୁମ ଆସିଲା–ବାୟାଣୀଟାକୁ ଥରେ ତା’ ସ୍ୱାମୀକି ଦେଖାଇଦିଅ । ଲୁହାଫାଟକର ଭିତର ପଟେ ରହିବ ପୁନିଆ । ଫାଟକ ବାହାରେ ରହି ତା’ ବାୟାଣୀଟା ତାକୁ ଦେଖିବ ।

 

ପୁନିଆ ଡୋରିଆ ଜଙ୍ଘିଆ ପିନ୍ଧି ଭିତର ପଟେ ଆସି ଠିଆ ହେଲା । ହାତରେ ତାର ହାତକଡ଼ି ପଡ଼ିଥାଏ । ଚିନ୍ତା ଓ ପରିଶ୍ରମରେ ଦିହ ତାର ପୂରା ଝଡ଼ିଯାଇଥାଏ । କଳା ଖପରା ପରି ଦିଶୁଥାଏ ତାର ଚେହେରା । ସତେ କି ଗୋଟାଏ ଭୂତ ! କହିଲା–ସୁରୁବାଲୀ, ଆଇଚୁ ମତେ ଦେଖିବାକୁ ? ଆ ।

 

ହାତଟାକୁ ପ୍ରସାରି ଦେବା ପାଇଁ ଚେଷ୍ଟା କରି–ବ୍ୟର୍ଥ ହେଲା ।

 

ଧାଇଁଗଲା ସୁରୁବାଲୀ । ତାର ଆଉ ଜ୍ଞାନ ନାହିଁ । ପାଟିରେ କଥା ବନ୍ଦ ହୋଇଯାଇଚି । ଲୁଗାପଟା ଅସମ୍ଭାଳ, ମୁଣ୍ଡବାଳ ମୁକୁଳା । ହାତ ଦୁଇଟାକୁ ମେଲା କରି ଦୌଡ଼ିଗଲା ସେ ଲୁହାର ଫାଟକ ପାଖକୁ । ମାତ୍ର ହାଁ ହାଁ କରୁ କରୁ ସେ ତାର ବେଗ ସମ୍ଭାଳି ନ ପାରି ମୋଟା ମୋଟା ରେଲିଂ ଦିଆ ଲୁହାର କବାଟରେ ଧାଉଁକିନା ବାଡ଼େଇ ହୋଇଗଲା । କିଛି କହିପାରିଲା ନାହିଁ । ପୁନିଆ ଆଡ଼କୁ ଜଳ ଜଳ କରି ଖାଲି ଅନାଇ ରହି ପୁଣି ଥରେ ତଳେ କଚାଡ଼ି ହୋଇ ପଡ଼ିଗଲା । ଅଜ୍ଞାନ ହୋଇଗଲା । ଦି’ ଆଖିର କୋଣ ଦେଇ ଦିଓଟି ଧାର ଲୁହ ଝରିପଡ଼ିଲା । ଏଣେ ଭିତର ପଟେ ଠିଆ ହୋଇ ପୁନିଆ ଅଧୀର ହୋଇ ଉଠିଲା । ଦି’ ହାତରେ ଛନ୍ଦା ହୋଇଥିବା ଓଜନିଆ ଲୁହାର କଡ଼ାଟାକୁ ନିଜର ତାଳୁରେ ଜୋର କରି ପିଟିଦେଇ ସେ କହିଲା–ଆହା, ସୁରୁବାଲୀ ! କଅଣ ହେଲା ଗୋ ତୋର ? ତୁ ଚାଲିଗଲୁ ? ଏତେ ବାଟ ଆସିଥିଲୁ ମତେ ଟିକେ ଦେଖିବାକୁ–ଶେଷକୁ ତୁ ବି ଚାଲିଗଲୁ ? ତୁ ବି ମତେ ଛାଡ଼ି ଗଲୁ ?

 

ସୁରୁବାଲୀର ପାଟିରୁ ଆଉ କଥା ପଦେ ସୁଦ୍ଧା ବାହାରିଲା ନାହିଁ । ଖୋଳା ଖୋଳା ଆଖିପତା ଭିତରେ ନୀଳ ଡୋଳା ଦିଇଟା ସେମିତି ଜଳ ଜଳ ହୋଇ ଫିକା ପଡ଼ି ରହିଲା । ନିଃଶ୍ୱାସ ଆଉ ଲେଉଟିଲା ନାହିଁ । ଆଖିରୁ ଲୁହ ଆଉ ଝରିଲା ନାହିଁ । ଜୀବନ ଦୀପଟି ନିଭିଗଲା । ତାକୁ ଧରାଧରି କରୁ କରୁ ପୁନିଆ ତେଣେ ଭିତର ପଟେ ଗଛ କାଟିଲା ପରି ପକା ଚଟାଣଟା ଉପରେ କଚାଡ଼ି ହୋଇ ପଡ଼ିଲା । ବିକଳ ହୋଇ କାନ୍ଦିଲା । କହିଲା–ସବୁ ମୋର ସରିଗଲା ।

 

ମଦଭାଟି, ଆଉ ମଦ ବୋ-ତ-ଲ ।

ତୁମେ ମୋର ସବୁ ସା-ରି-ଦେଲ-ରେ ?

ମୁଁ-ଉ-ବି-ଚାଲି-ଲି-ଇ-ଇ ।

 

କହୁ କହୁ ପୁନିଆର ହୃତ୍‌ପିଣ୍ଡ କ୍ରିୟା ବନ୍ଦ ହୋଇଗଲା । ପାଣି ଛିଞ୍ଚା ଛିଞ୍ଚିରେ ତାର ବି ଆଉ ପବନ ଫେରିଲା ନାହିଁ । ମଦ ତା’ ଦିହ ପିଞ୍ଜରାଟିକୁ ଝିଞ୍ଜାରି ପକାଇଥିଲା । ଅଳ୍ପକେ ସେ ଶେଷ ହୋଇଗଲା । ଜେଲ ଫାଟକର ଭିତରେ ଗୋଟିଏ ମଡ଼ା ପଡ଼ି ରହିଲା । ଜଗୁଆଳୀ ସିପେଇ ହାତରୁ ବନ୍ଧୁକ ଖସି ପଡ଼ିଲା । ଆଉ ବାହାର ଫାଟକ କଡ଼କୁ ଗୋଟାଏ ମଡ଼ା ପଡ଼ି ରହିଲା । ହତା ବାହାରେ ଲୋକ ଭିଡ଼ ଜମା ହୋଇଗଲେ ।

 

ଜୀରା ନଈ ସେ ପାରିରେ ମଦଭାଟି ବସିଲା ଦିନୁ ପୁନିଆ, ସୁରୁବାଲୀ ପରି କେତେ କିଏ ନିରୀହ ପ୍ରାଣୀଙ୍କ ପ୍ରାଣବାୟୁ ଧୂଆଁ ହୋଇ ଉଡ଼ିଗଲାଣି । କେତେ ଗରିବ କୁଲି ମଜୁରିଆର ସୁନାର ସଂସାର ଚୂନା ହୋଇ ପୋଡ଼ି ପାଉଁଶ ହୋଇଗଲାଣି । ତେବେ ବି ଚାଲିଚି ସଂସାର । ତେବେ ବି ମଦଭାଟି ଆଗରେ ନିତି ପ୍ରତି ଘମାଘୋଟ ଭିଡ଼ । ରାମରାମ ଭଗତର କୋଠାବାଡ଼ି ଧନଜନ ବଢ଼ି ଚାଲିଚି । ଆଉରି ବି ବଢ଼ିବ । ଯେଉଁ ଦେଉଳର ପଣ୍ଡା ସେ, ସେଇ ଦେଉଳକୁ ତୋଳି ଯାଇଥିଲେ ଇଂରେଜ ସରକାର । ଆମ ସରକାର ବି ସେଇ ଦେଉଳରେ ପୂଜା ଆଳତି ନିତି ପ୍ରତି ଚଳାଇଚନ୍ତି–ଘମାଘୋଟ ଭାବେ ।

Image